ସାକ୍ଷାତକାର : ‘କେନ୍ଦ୍ର ସରକାରଙ୍କ କୃଷିନୀତି- ଏକ ଟ୍ରିପଲ ମର୍ଡର ଯୋଜନା’

 

 


ଜଗମୋହନ ସିଂହ, ସାଧାରଣ ସମ୍ପାଦକ, ଭାରତୀୟ କିଷାନ ଉନିୟାନ
ସର୍ବ ଭାରତୀୟ କୃଷକ ସଂଘର୍ଷ ସମନ୍ଵୟ ସମିତି  କାର୍ଯ୍ୟକାରୀ ସଦସ୍ୟ

ଗଣଭିତ୍ତି: ଆପଣଙ୍କୁ ଦିଲ୍ଲୀ ପର୍ଯ୍ୟନ୍ତ ଆସିବା ଲାଗି କଣ ପାଇଁ ଜରୁରୀ ହେଲା ?

ଜଗମୋହନ ସିଂହ: କେନ୍ଦ୍ର ସରକାର ନୂଆ କୃଷିନୀତି ଲାଗି ଆର୍ଡିନାନ୍ସ ଆସିବାର ଠିକ ପର ଦିନ ଆମ୍ଭେମାନେ ପଞ୍ଜାବର ସବଡିବିଜନ ସ୍ତରରେ ଧାରଣା ଆରମ୍ଭ କରିଦେଇଥିଲୁ । କ୍ରମଶଃ ଆମେ ୩୦ ସଂଗଠନ ଏକାଠି ହେବାରେ ଲାଗିଲେ । ଏତଦବ୍ୟତୀତ, ପଞ୍ଜାବ ବାହାରର ତିନୋଟି ସଙ୍ଗଠନ ମଧ୍ୟ ଆମ ସହିତ ଯୋଗସୂତ୍ର ରଖି କାର୍ଯ୍ୟକ୍ରମ ନେଉଥିଲେ । ଆମେ ଆମକୁ ତିନୋଟି ଜୋନରେ ବାଣ୍ଟିଦେଲୁ । ଏହା ପରେ ସର୍ବଭାରତୀୟ କିଶାନ ସଂଗଠନ ନାମରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲୁ । ଅଗଷ୍ଟ ୨୭ ତାରିଖରେ ଆମେ ଜିଲ୍ଲା ସ୍ତରରେ ଟ୍ରାକ୍ଟର ରାଲ୍ଲୀ ବାହାର କରିଥିଲୁ । ଏହା ପରେ ଆମେ ୧ ଅକ୍ଟୋବରକୁ ମଟର ସାଇକେଲ ରାଲିକଲୁ। କ୍ରମାଗତ ପ୍ରତିବାଦ ହେତୁ ପଞ୍ଜାବର କଂଗ୍ରେସ ସରକାର ସ୍ଵତନ୍ତ୍ର ଆସେମ୍ବ୍ଲି ଡାକି ଏହାକୁ ଲାଗୁ ନକରିବା ଲାଗି ଘୋଷଣା କଲେ । ଆମେ ଚଣ୍ଡୀଗଡ଼ରେ କେନ୍ଦ୍ର ସରକାରଙ୍କ ଆଡମିନିଷ୍ଟ୍ରେଟରଙ୍କୁ ଭେଟି ଦାବିପତ୍ର ଦେଲୁ। ଏବେ ତାହା କେଉଁ ଅଳିଆଗଦାରେ ପଡିଛି କେଜାଣି ? ଏହା ପରେ ଆମେ ବଡ କର୍ପୋରେଟ ମାନଙ୍କର ଯେଉଁ ମଲ ଓ ଟୋଲ ପ୍ଲାଜା ଅଛି ତାହାକୁ କାର୍ଯ୍ୟକାରୀ କରେଇନଦେବା ଲାଗି ଧାରଣା ଦେଲୁ । ଟ୍ରେନକୁ ମଧ୍ୟ ବନ୍ଦ କରିଥିଲୁ । କିନ୍ତୁ ରାଜ୍ୟବାସୀ ଏଥିରେ ବିଭିନ୍ନ ଅସୁବିଧାର ସାମ୍ନା କରିବା ହେତୁ ଟ୍ରାକ ଛାଡିଦେଲୁ । ତଥାପି କେନ୍ଦ୍ର ସରକାର ଏ ଦିଗରେ ଧ୍ୟାନ ନଦେବା ହେତୁ ଆମକୁ ଦିଲ୍ଲୀ ଆସିବା ଜରୁରୀ ହୋଇପଡିଲା । ଆମେ ଏହା ଆଗରୁ ଦିଲ୍ଲୀ ଆସି ସର୍ବ ଭାରତୀୟ କିଶାନ ସଙ୍ଗର୍ଷ ସଂଯୋଜନା କମିଟି ଗଠନ କରି ଦୁଇଥର ମିଟିଂ କରିଥିଲୁ । ଏଥିରେ ୪୭୬ ଟି ସଂଗଠନ ଯୋଗଦେଇଥିଲେ । ଏଥିରେ ଉତ୍ତରପ୍ରଦେଶ, ରାଜସ୍ଥାନ, ଉତ୍ତରାଖଣ୍ଡ ଇତ୍ୟାଦିର ଚାଷୀ ସଂଗଠନ ମାନେ ଅଛନ୍ତି । କେନ୍ଦ୍ର ସରକାର ଆମକୁ ଭାଗ ଭାଗ କରିବା ଲାଗି ଉଦ୍ୟମ କରୁଛନ୍ତି । ଆମେ ଆଗକୁ ଦେଖୁଚୁ । ଦେଖାଯାଉ ।

ଗଣଭିତ୍ତି : ଆପଣ ଛୋଟ ଚାଷୀ ଓ ଭାଗଚାଷୀଙ୍କୁ ଏହି ଆନ୍ଦୋଳନ ସହିତ କେମିତି ଯୋଡିଲେ ?

ଜଗମୋହନ ସିଂହ : ଆମର ସଙ୍ଗଠନରେ ୭୦ ରୁ ୮୦ ପ୍ରତିଶତ ସଦସ୍ୟ ଛୋଟ ଚାଷୀ ଓ ଭାଗଚାଷୀ ଅଛନ୍ତି । ଆମର ସଦସ୍ୟଙ୍କ ଭିତରେ ବଡ ଚାଷୀ ପ୍ରାୟ ନାହାନ୍ତି । ଯେଉଁ ଛୋଟ ଚାଷୀ ଓ ନାମକୁ ମାତ୍ର ଚାଷୀ ଅଛନ୍ତି ସେମାନଙ୍କ ସହିତ କୃଷି ଶ୍ରମିକଙ୍କର ବହୁତ ଭଲ ସମ୍ପର୍କ ଅଛି ଯେଉଁ ଦୁଧ ଚାଷୀ ଯୁନିଅନ ଅଛନ୍ତି ସେମାନେ ମଧ୍ୟ ଆମ ସହିତ ଯୋଗ ଦେଇଛନ୍ତି । ସେମାନେ ଆମର ଧାରଣସ୍ଥଳୀଙ୍କୁ ନିୟମିତ କ୍ଷୀର ପଠାଉଛନ୍ତି । ଆମେ ସମସ୍ତେ କେନ୍ଦ୍ର ସରକାରଙ୍କ ତିନୋଟି କୃଷି ଆଇନକୁ ଆମେ ଟ୍ରିପଲ ମର୍ଡର କହୁଛୁ । ପ୍ରଥମରେ, ଛୋଟ ଚାଷୀ ଓ କୃଷି ଶ୍ରମିକମାନେ ମଣ୍ଡି ବନ୍ଦ ହୋଇଗଲେ ଆଉ କାମ ପାଇବେ ନାହିଁ ଓ ସେମାନଙ୍କ ମୃତ୍ୟୁ ହେବ । ଦ୍ବିତୀୟରେ, ଏହି ଆଇନ ଦେଶରେ ଲାଗୁ ହେଲେ ବହୁରାଷ୍ଟ୍ରୀୟ କମ୍ପାନୀମାନେ କୃଷକ ପାଲଟିଯିବେ ଓ ପ୍ରକୃତ କୃଷକ କୃଷି ଛାଡିବା ଲାଗି ବାଧ୍ୟ ହେବେ । ତୃତୀୟରେ, ଏଫସିଆଇ ବନ୍ଦ ହୋଇଗଲେ ରାଜ୍ୟ ସରକାରଙ୍କ ଯେଉଁ ଅନୁଷ୍ଠାନମାନେ କେନ୍ଦ୍ର ସରକାରଙ୍କ ଠାରୁ ଅର୍ଥ ନେଇ ପିଡ଼ିଏସରେ ଚାଉଳ ଓ ଗହମ ଦେଉଥିଲେ ସେ ସସବୁ ବନ୍ଦ ହୋଇଯିବ । ଫଳରେ ରାଜ୍ୟ ସରକାରୀ ଅର୍ଥ ପାଇବା ବନ୍ଦ ହୋଇଯିବା ସହିତ ସେଥିରେ ଥିବା କର୍ମଚାରୀ ମଧ୍ୟ ମରିଯିବେ । ତେଣୁ ଏହି ଟ୍ରିପଲ ମର୍ଡର ବିପକ୍ଷରେ ଜନମତ ପ୍ରବଳ ହେବାରେ ଲାଗିବା ହେତୁ ଆଜି ଦେଶର ପ୍ରତିବର୍ଗର ଚାଷୀ ଏହି ଆନ୍ଦୋଳନରେ ଯୋଡିହେବାରେ ଲାଗିଛନ୍ତି ।

ଗଣଭିତ୍ତି : ଏହାକୁ ଏମଏସପି (ସର୍ବନିମ୍ନ ସହାୟକ ମୂଲ୍ୟ) ବଞ୍ଚାଅ ଆନ୍ଦୋଳନ ଭାବରେ ଆପଣ କଣ ଦେଖୁଛନ୍ତି କି ?

ଜଗମୋହନ ସିଂହ : ଏମଏସପି ଆମର ଅନ୍ଯତମ ବିଷୟ । କିନ୍ତୁ ଆମର ସମୁଦାୟ ଉତ୍ପାଦନର ମାତ୍ର ୨୬% ସରକାରଙ୍କ ଏମଏସପି ଲାଗି ଆମର କୃଷକ ଦେଇଥାନ୍ତି । ଏହା ପୁଣି କେବଳ ପଞ୍ଜାବ, ହରିୟାନା ଓ ପୂର୍ବ ଉତ୍ତରପ୍ରଦେଶ ଅଞ୍ଚଳର ଚାଷୀ ଦେଇଥାନ୍ତି । ଏଥିରେ ବହୁତ କମ ଚାଷୀ ଉପକୃତ ହୋଇଥାନ୍ତି । ଏବେ କିନ୍ତୁ ଅନ୍ୟ ବହୁ ରାଜ୍ୟର ଚାଷୀ ଆସିମିଶୁଛନ୍ତି ଯେଉଁମାନଙ୍କ ଲାଗି ଏମଏସପି ରେଟ ଆଜି ବି ମିଳୁନାହିଁ । ସେମାନେ ଏବେ ବି ଏହି ଆନ୍ଦୋଳନ ସହିତ ଯୋଡି ହୋଇଛନ୍ତି । ଭାରତରେ କୃଷି ଉତ୍ପାଦନ ଯେ ଅଧିକ ଏକଥା ଲକଡାଉନ ସମୟରେ ପ୍ରମାଣିତ ହୋଇଗଲା । କିନ୍ତୁ ତାହା ଗୁରୁତ୍ଵ ପାଉନାହିଁ । ଯେତେବେଳେ ଅର୍ଥନୀତିରେ ସମଗ୍ର ଉତ୍ପାଦନ ବା ଜିଡ଼ିପି ବିଯୁକ୍ତତ୍ମକ ହେଉଛି ଓ ଯେତେବେଳେ ଉଭୟ ସେବା କ୍ଷେତ୍ର ଓ ଶିଳ୍ପ ଉତ୍ପାଦନ ବହୁତ ତଳେ ରହିଛି ସେତେବେଳେ କିନ୍ତୁ କୃଷି ଉତ୍ପାଦନ ବହୁତ ଉପରେ ଅଛି । ପଞ୍ଜାବ ଓ ହରିୟାନାରେ ପୂର୍ବ ବର୍ଷ ଠାରୁ ଏ ବର୍ଷ ୬ ରୁ ୭% ଅଧିକ ଧାନ ଓ ଗହମ ଉତ୍ପାଦନ ହୋଇଛି । ଏମାନେ ସମସ୍ତେ ଆଜି ସରକାରଙ୍କ କୃଷିନୀତିରେ ପ୍ରଭାବିତ ହେବେ ।

            ପୂର୍ବରୁ କଂଗ୍ରେସ ନେତୃତ୍ଵାଧୀନ ଇଉପିଏ ସରକାରରେ କମଲନାଥ କୃଷି ମନ୍ତ୍ରୀଥିବା ସମୟରେ ମୁଣ୍ଡପିଛା ଉତ୍ପାଦନ ବଢାଇବା ଲାଗି ଉଦ୍ୟମ ଆରମ୍ଭ କରିଥିଲେ ଯାହାକୁ ମୋଦୀ ସରକାର କାର୍ଯ୍ୟକାରୀ କରୁଛନ୍ତି । ଏଥିରେ ଅନେକ ବହୁରାଷ୍ଟ୍ରୀୟ କମ୍ପାନୀମାନେ ଭଲ ଲାଭ ପାଇଲେ । ସବୁଜ ବିପ୍ଲବ ନାମରେ ଏମାନେ ଆମକୁ ବହୁତ ଲୁଟିଲେ । ଏମାନେ ମୁଣ୍ଡପିଛା ଟ୍ରାକ୍ଟର, ମେଶିନ, ସାର ବିହନ ଇତ୍ୟାଦି ଯୋଗାଇବା ନାମରେ ଆମକୁ ଲୁଟିଲେ । ଏବେ ଆଦାନୀ ଓ ଆମ୍ବାନୀ କମ୍ପାନୀ ଡିଜେଲ ପମ୍ପ ଖୋଲି ଆମକୁ ଲୁଟୁଛି । ସେଥିପାଇଁ ଆମେ ଆମ୍ବାନୀ ଓ ଆଦାନୀର ପେଟ୍ରୋଲ ପମ୍ପ ବନ୍ଦ କରିଦେଇଛୁ । କର୍ପୋରେଟ ବିରୁଦ୍ଧରେ ଆମକୁ ଲଢେଇ କରିବାକୁ ହେବ । ଆମର କୃଷିଶ୍ରମିକ, ଛୋଟ ଚାଷୀ ଏବେ ମୁହାଁମୁହିଁ କର୍ପୋରେଟ ବିପକ୍ଷରେ ଲଢୁଛନ୍ତି ।

ଗଣଭିତ୍ତି : ପଞ୍ଜାବରେ ଠିକା ଚାଷର ସ୍ଥିତି କଣ?

ଜଗମୋହନ ସିଂ: ଏବେ ପଞ୍ଜାବରେ କଣ୍ଟ୍ରାକ୍ଟ ଫର୍ମିଙ୍ଗର ଯେଉଁ ସ୍ଥିତି ଏଭଳି ଯେ ଯଦି କମ୍ପାନୀ ଆଡୁ ଚୁକ୍ତିରେ କୌଣସି ଖିଲାପ ହୁଏ ତେବେ ଚାଷୀକୁ ସବଡିବିଜିନାଲ ମାଜିଷ୍ଟ୍ରେଟ ପାଖକୁ ଯିବାକୁ ହେବ । ଆମର ଯେଉଁ ଛୋଟ ଚାଷୀମାନେ ଅଞ୍ଚନ୍ତି ଯେଉଁମାନଙ୍କର ଏକ ଏକର କି ଦୁଇ ଏକର ଜମି ଅଛି ତାହା ଯଦି ଠିକା ଚାଷରେ ଚାଲିଯାଏ ତେବେ ଆମ ପୁଅ ନାତି ଆମକୁ ପଚାରିବେ, ବାପା ତୁମେ କେଉଁଠି ଥିଲ ଯେତେବେଳେ ଆମର ଜମି ଚାଲିଯାଉଥିଲା?’ ତେଣୁ ଆମେ କମ୍ପାନୀମାନଙ୍କ ବିରୁଦ୍ଧରେ ବି ଲଢୁଛୁ । ଜେଲ ଯିବାକୁ ଥିଲେ ଯିବୁ ଗୁଳି ଖାଇବା ହେଲେ ଖାଇବୁ । ଆମ ଜମିରେ ଆଦାନୀ ଓ ଆମ୍ବାନୀ ଏଠାରେ ବଡ ବଡ ଚାଷୀ । ସେମାନେ ଆମ ଜମିରେ ଆମକୁ ଶ୍ରମିକ ରଖିବେ । ସେମାନେ ଏମଏସପି ବ୍ୟବସ୍ଥାକୁ ବନ୍ଦ କରିଦେବେ ଓ ବଡ ବଡ ଷ୍ଟୋର ଖୋଳିବେ । ଆଦାନୀ ତ ବଡ ଷ୍ଟୋର ତିଆରି କରିବା ଆରମ୍ଭ କରିଦେଲାଣି । କାର୍ଗିଲ ମଧ୍ୟ ଏଥିରେ ଆସିବ । ଏବେ କାର୍ଗିଲ କମ୍ପାନୀ ଆମର ଉତ୍ପାଦନକୁ ନିଜ କମ୍ପାନୀର ଲେବୁଲ ମାରି ବିକ୍ରି କରୁଛି । ପରେ ସେ ଆମର ଜମିକୁ ଅକ୍ତିଆର କରିବ । ନରେନ୍ଦ୍ର ମୋଦୀଙ୍କର ବିଶ୍ଵର ବହୁ ବଡ ବଡ ବହୁରାଷ୍ଟ୍ରୀୟ କମ୍ପାନୀଙ୍କ ସହିତ ସମ୍ପର୍କ ରହିଛି । ସେ ଟ୍ରମ୍ଫକୁ ନିଜର ବଡ ଭାଇ କହୁଥିଲେ । ଏବେ ସେହିମାନେ ଏହି କୃଷି ନୀତି ମାଧ୍ୟମରେ କୃଷକଙ୍କୁ ଲୁଟିବାର ଚକ୍ରାନ୍ତ କରୁଛନ୍ତି ।

 ଗଣଭିତ୍ତି : ଆପଣଙ୍କ ଆନ୍ଦୋଳନ ପ୍ରତି ମିଡିଆ ଓ ଅନ୍ୟ ସଂଗଠନମାନଙ୍କ ଭୂମିକା କେଉଁଭଳି ରହିଆସିଛି ?

ଜଗମୋହନ ସିଂହ : ମେଡିଆ ସମ୍ବନ୍ଧରେ କହିବା କଥା ହେଲା ମିଡିଆର ଏକ ଗୋଷ୍ଠୀ ସନଶନୀ ନ୍ଯୁଜ କରିବାରେ ଲାଗିଛନ୍ତି । ଗୋଦି ମିଡିଆର ଏହା ଅଂଶ । ସେମାନେ କରୁଛନ୍ତି । ଆମର ଯୋଗ ଦେଇଥିବା ଗାଡି ସବୁ ଭିତରୁ ୮୦ ରୁ ୮୫ % ଟ୍ରାକ୍ଟର ଓ ଟ୍ରଲି ଅଛନ୍ତି । ମର୍ଷୀଡେଜରେ କୃଷକ ଆସି ଆନ୍ଦୋଳନ କରୁଛନ୍ତି ବୋଲି କହୁଛନ୍ତି । ଆମକୁ ପ୍ରଥମେ ଏଜେଣ୍ଟ କୁହାଗଲା । ଅର୍ବନ ନକ୍ସଲ କୁହାଯାଉଥିଲା । ଖାଲିସ୍ତାନି କୁହାଗଲା । ବିଜେପିର ଏହା ସବୁ ଚାଲବାଜି । ଆନ୍ଦୋଳନକୁ ଭାଗ ଭାଗ କରିବା ଲାଗି ଏ ସବୁ ଉଦ୍ୟମ କରାଯାଉଛି । ଏହି ସଂଘର୍ଷ ତ ପ୍ରକୃତରେ ମେହେନତୀ ମଣିଷର ସଂଘର୍ଷ ଏହା ଶ୍ରମଜୀବୀ ମଣିଷର ସଂଘର୍ଷ । ଆମ ବିପକ୍ଷରେ ପ୍ରଚାର ହେଲା ଯେ ଏମାନେ ଇନ୍ଦିରାକୁ ମର୍ଡର କରିଥିଲେ ଏବେ ମୋଦୀଙ୍କୁ ମର୍ଡର କରିବେ । ହେଲେ ମିଡିଆର ଅନେକ ଲୋକ ଆମକୁ ସମର୍ଥନ ମଧ୍ୟ କରୁଛନ୍ତି । ସେମାନେ ଆମ ପାଖରେ ସଦାବେଳେ ରହିଛନ୍ତି ।

            ଆମର ଯୁବକମାନେ ଅଛନ୍ତି ସେମାନଙ୍କ କଠିନ ପରିଶ୍ରମ ଓ ବହୁ ଲୋକଙ୍କ ସମର୍ଥନ ହେତୁ ବିଭାଜନକାରୀ ଦଳର ଯୋଜନା ସଫଳ ହେଉ ନାହିଁ । ଆଜି ଦିଲ୍ଲୀର ଟ୍ଯାକ୍ସି ଯୁନିଅନ ଆମ ସମର୍ଥନରେ ଆସିଲେଣି । ସବୁ ବିଶ୍ୱବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ଆମ ସହିତ ଧାରଣାରେ ସାମିଲ ହେଲେଣି । ଏବେ ଆମେ ସର୍ବଭାରତୀୟ କିଷାନ ମୋର୍ଚ୍ଚା ଗଠନ କରି 7 ଟି ଭାଗରେ ବିଭକ୍ତ କରିଦେଇଛୁ । ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ହରିୟାନା , ଓଡିଶା , କର୍ଣ୍ଣାଟକ , କେରଳର କୃଷକ ସଂଗଠନର ଦୁଇ ଶହରୁ ତିନି ଶହ କୃଷକ ପ୍ରତିନିଧିତ୍ଵା ଲାଗି ଆମର ଧାରଣାସ୍ଥଳୀରେ ପହଞ୍ଚିବାରେ ଲାଗିଛନ୍ତି । ମିଡିଆର ପ୍ରଚାର ଯେ ଏହା ପଞ୍ଜାବର ବଡ ଚାଷୀଙ୍କ ସଂଗଠନ ତାହା କେବଳ ଆମକୁ ଭାଗ ଭାଗ କରିବା ଲାଗି କରାଯାଉଛି ।

ଗଣଭିତ୍ତି : ଆପଣ ଆଶାବାଦୀ ଅଛନ୍ତି ?

ଜଗମୋହନ ସିଂହ : ନିଶ୍ଚିତ ଅଛୁ । କେନ୍ଦ୍ର ସରକାର ଯଦି ଗୁଳି ଚଳାଇବେ ତେବେ ଗୁଳି ଖାଇ ଦିଲ୍ଲୀରେ ମରିଯିବୁ । କେନ୍ଦ୍ର ସରକାର ଯଦି ଜେଲ ପଠାନ୍ତି ତେବେ ଆମେ ଜେଲ ଯିବା ଲାଗି ପ୍ରସ୍ତୁତ ଅଛୁ । ସରକାରଙ୍କ କୌଣସି ସାମ୍ବିଧାନିକ ଅଧିକାର ନଥାଇ ମଧ୍ୟ ଆମକୁ ଦିଲ୍ଲୀ ପ୍ରବେଶ ଲାଗି ଅନୁମତି ଦେଲେନାହିଁ । ବରଂ ଆମ ଉପରେ ହୋଇଥିବା ଅତ୍ୟାଚାର ସମ୍ପର୍କରେ ଆପଣ ଜାଣିଥିବେ । ଆଜି ଆମର ଦାବିକୁ ସମର୍ଥନ ଦେଇ ଅନେକ ସଂଗଠନ ଓ ରାଜନୈତିକ ଦଳ ଆମ ସହିତ ସାମିଲ ହେବାରେ ଲାଗିଛନ୍ତି । ସେମାନଙ୍କ ମଧ୍ୟରେ ବିଜେପି ନେତୃତ୍ଵାଧୀନ ଏନଡ଼ିଏର ମଧ୍ୟ କେତେକ ଦଳ ଅଛନ୍ତି । ଆମେ ଜାଣୁ ଯେ ସେମାନେ ଭୋଟ ବ୍ଯାଙ୍କ ଲାଗି ଆସୁଛନ୍ତି । କୃଷକମାନେ ଯେମିତି ତାଙ୍କ ହାତରୁ ଖସିନଯାନ୍ତୁ ସେଥିଲାଗି ସେମାନେ ଆସୁଛନ୍ତି । ଆମେ କିନ୍ତୁ ଆଶାବାଦୀ । ଗଲା ଦେଶବ୍ୟାପୀ ହରତାଳରେ ୨୦ ରୁ ୨୨ ଟି ରାଜ୍ୟର କୃଷକ ସଂଗଠନମାନେ ଏଥିରେ ଯୋଗଦେଇ ଚକାଯାମ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । କେରଳରୁ ତ୍ରିପୁରା ଓ ରାଜସ୍ଥାନରୁ ଓଡିଶା ପର୍ଯ୍ୟନ୍ତ ସମସ୍ତେ ଏଥିରେ ଥିଲେ । ଏବେ କାନାଡାରେ, ଆମେରିକାରେ, ନ୍ୟୁଜିଲାଣ୍ଡରେ ଭଳି ଅନେକ ଦେଶର ଅନେକ ସଂଗଠନ ଆମ ସହିତ ଯୋଡିହେବାରେ ଲାଗିଛନ୍ତି ଅଥବା ଆମକୁ ସମର୍ଥନ ଦେବାରେ ଲାଗିଛନ୍ତି । ତେଣୁ ଆମର ଆନ୍ଦୋଳନ ବ୍ୟାପକ ହେବାରେ ଲାଗିଛି । ଦିଲ୍ଲୀରେ ଯଦି ସେମାନେ ଗୁଳି ଚଲାନ୍ତି ତେବେ ବି ଆମେ ଗୁଳି ଖାଇବାଲାଗି ପ୍ରସ୍ତୁତୁ ଅଛୁ ।

(ସଂଗ୍ରାମୀ ଚେତନାର ଗଣଭିତ୍ତି ଦ୍ଵିମାସିକ ପତ୍ରିକାର ନଭେମ୍ବର – ଡିସେମ୍ବର ସଂଖ୍ୟାରେ ଏହା ପ୍ରକାଶିତ । ପତ୍ରିକା ତରଫରୁ ମିନତୀ ଦାଶ ଦିଲ୍ଲୀରେ ଏହି ସାକ୍ଷାତକାର ନେଇଥିଲେ । ସାକ୍ଷାତକାରର ସ୍ଥାନ : ଦିଲ୍ଲୀ ବର୍ଡର (ଟିକ୍ରି), ଦିନ : ୨ ଡିସେମ୍ବର ୨୦୨୦)

 For communication write to: gassbhubaneswara@gmail.com

For getting the magazine you can ring to mobile number: 9439905156

Comments

Popular posts from this blog

ଜନ ସ୍ୱାସ୍ଥ୍ୟ ସେବା, ଯାହାକୁ ସମସ୍ତେ ଭୁଲିଯିବାକୁ ବସିଲେଣି

ଆଦିବାସୀ ଶିକ୍ଷା ନାମରେ ଏକ ଫ୍ୟାକ୍ଟରୀ ସ୍କୁଲ ମଡେଲ

ଓଡିଶା ଉପକୂଳରେ ବାତ୍ୟାର ବାରମ୍ବାରତା, ଏହାର କାରଣ*