ଓଡିଶା ଉପକୂଳରେ ବାତ୍ୟାର ବାରମ୍ବାରତା, ଏହାର କାରଣ*

 



ନାଗରାଜ ଆଡଭେ

 

          ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ଓଡିଶା କାର୍ଯ୍ୟ ଯୋଜନାର (SAPCC) ତଥ୍ୟ ଅନୁଯାୟୀ ବଙ୍ଗୋପସାଗର ତଟବର୍ତ୍ତୀ ରାଜ୍ୟ ଗୁଡିକରେ ବର୍ଷକୁ ହାରାହାରି 5 ଥର ବାତ୍ୟା ହୋଇଥାଏ । କିନ୍ତୁ ଭାରତର ପଶ୍ଚିମ ଉପକୂଳରେ ପୂର୍ବ ଉପକୂଳ ଅପେକ୍ଷା କମ ସଂଖ୍ଯାରେ ବାତ୍ୟା ହୋଇଥାଏ । ପୁଣି ଏହି ତଥ୍ୟ ଅନୁସାରେ ପୂର୍ବ ଉପକୂଳରେ “ବାତ୍ୟାର ସଂଖ୍ୟା ଓ ତାହାର ତୀବ୍ରତା ବଢିବାର ସମ୍ଭାବନା ରହିଛି

            ବାତ୍ୟା ସମ୍ବନ୍ଧରେ ଭାବିଲା ବେଳେ ଏ ସମ୍ପର୍କିତ ଦୁଇଟି ପ୍ରଶ୍ନ ଯଥା ଏହାର ସଂଖ୍ୟା ଅର୍ଥାତ ବର୍ଷକୁ କେତେଥର ହୋଇଥାଏ ଓ ଏହାର ତୀବ୍ରତା ଅର୍ଥାତ ଏହା କେତେ ଭୟଙ୍କର ହୋଇଥାଏ, ଏ କଥା ଆମ ମନକୁ ଆସିଥାଏ। ବାତ୍ୟାର ତୀବ୍ରତା ଅନୁଯାୟୀ ଗ୍ରୀଷ୍ମ ମଣ୍ଡଳୀୟ ସାଧାରଣ ବାତ୍ୟା ଓ ମହାବାତ୍ୟା ଏହିପରି ଏହାକୁ ବିଭାଜିତ କରାଯାଇଥାଏ । ଦେଖାଯାଇଛି ଯେ ବଙ୍ଗୋପସାଗର ତଟବର୍ତ୍ତୀ ରାଜ୍ୟ ଗୁଡିକରେ ୧୯୦୧ ମସିହାରୁ ୨୦୧୦ ମସିହା ମଧ୍ୟରେ ଏହି ଗ୍ରୀଷ୍ମ ମଣ୍ଡଳୀୟ ବାତ୍ୟାର ସଂଖ୍ୟା କମିଛି, କିନ୍ତୁ ଭୟଙ୍କର ବାତ୍ୟାର ସଂଖ୍ୟା ବଢିଛି । ଯେଉଁ ବାତ୍ୟାରେ ପବନର ବେଗ ଘଣ୍ଟା ପ୍ରତି ୮୯ କିମିରୁ ଅଧିକ ଥାଏ, ତାକୁ ଭୟଙ୍କର ବାତ୍ୟା କୁହାଯାଏ ।

            ବାତ୍ୟା ତିଆରି ହେବା ପଛରେ କେତେକ ବିଶେଷ ପରିସ୍ଥିତି ବିଶେଷକରି ପବନର ବେଗ ଦାୟୀ। ବାତ୍ୟା ହେବା ଲାଗି ସମୁଦ୍ରର ଉପରିଭାଗ ତାପମାତ୍ରା ସର୍ବନିମ୍ନ ୨୬ ଡିଗ୍ରୀ ସେଲସିୟସ ଥାଏ । ଯେତେବେଳେ ବିଶ୍ଵ ତାପମାତ୍ରା ବୃଦ୍ଧି ହୁଏ ସେତେବେଳେ ସମୁଦ୍ରର ତାପମାତ୍ରା ମଧ୍ୟ ସେହି ଅନୁସାରେ ବୃଦ୍ଧି ହୋଇଥାଏ । ସମୁଦ୍ର ତାପମାତ୍ରା ବୃଦ୍ଧି ହୁଏତ ସମୁଦ୍ରର ଏକ ବିରାଟ ଅଞ୍ଚଳରେ ଅନୁଭୂତ ହୁଏ ଅଥବା ବର୍ଷର ଏକ ଲମ୍ବା ସମୟ ଧରି ଏହି ତାପମାତ୍ରା ବୃଦ୍ଧି ରହିଥାଏ ।

ସମୁଦ୍ର ଜଳ କାହିଁକି ଉତ୍ତପ୍ତ ହୁଏ:

            ବାୟୁ ମଣ୍ଡଳରେ ପ୍ରବେଶ କରୁଥିବା ଅଙ୍ଗାରକାମ୍ଳ ଗ୍ଯାସ ଓ ଅନ୍ଯାନ୍ଯ ଗ୍ରୀନ ହାଉସ ଗ୍ଯାସ ଯଥା ମିଥେନ ଗ୍ଯାସର ୯୦% ଅଂଶ ସମୁଦ୍ର ଜଳ ନିଜ ଭିତରେ ଦ୍ରବିଭୂତ କରିଥାଏ। ଏହି ତାପର ପରିମାଣ ପ୍ରାୟ ୪-୫ ପରମାଣୁ ବୋମାରୁ ଉତ୍ପନ୍ନ ତାପ ସହ ସମାନ । ଏହି ପ୍ରକ୍ରିୟା ପ୍ରାୟ ୫୦ ବର୍ଷ ଧରି ଚାଲିଛି । ତେଣୁ କେତେ ପରିମାଣର ତାପଶକ୍ତି ସମୁଦ୍ର ଜଳରେ ଦ୍ରବିଭୂତ ହେଉଛି ତାହା ସହଜରେ ଏହିଥିରୁ ଜଣେ ଆକଳନ କରିପାରେ । ପୁଣି ଏହି ପ୍ରଚୁର ତାପର ପ୍ରାୟ ୬୦% ତାପ ସମୁଦ୍ର ଜଳର ଉପର ସ୍ତରର ୭୦୦ ମିଟର ମଧ୍ୟରେ ଦ୍ରବିଭୂତ ହୋଇଥାଏ। ଏହା ସମୁଦ୍ରରେ ଗ୍ରୀଷ୍ମ ପ୍ରବାହ ବା ହିଟ ୱେଭ ସୃଷ୍ଟି କରେ । ତେଣୁ ଯେତେବେଳେ ସମୁଦ୍ରରେ ବାତ୍ୟା ଜନିତ ପରିସ୍ଥିତ ଅନୁକୂଳ ହୁଏ ଅର୍ଥାତ ସମୁଦ୍ର ମଧ୍ୟରେ ବାୟୁର ବେଗ ବଢିଥାଏ ସେତେବେଳେ ବାତ୍ୟା ସୃଷ୍ଟି ହୁଏ ଓ ତାହା ସେହି ଅନୁସାରେ ଭୟଙ୍କର ହୋଇଚାଲେ ।  ତେବେ ସମୁଦ୍ର ଜଳରେ ଅଧିକ ତାପ ଦ୍ରବିଭୂତ ହୋଇଥାଏ କାହିଁକି ? କାରଣ ହେଉଛି ପୃଥିବୀର ସ୍ଥଳଭାଗ ତୁଳନାରେ ଜଳଭାଗ ଆୟତନ ଅଧିକ ଏବଂ ସ୍ଥଳ ଅପେକ୍ଷା ଜଳର ତାପ ସ ସଂରକ୍ଷଣ ଶକ୍ତି ଅଧିକ ।   

            ଓଡିଶା ସମ୍ବନ୍ଧରେ ଏକ କଥା ଉଲ୍ଲେଖ କରାଯାଇପାରେ ଯେ 1999 ମହାବାତ୍ୟାରେ ଯେତେ ଲୋକଙ୍କର ମୃତ୍ୟୁ ହୋଇଥିଲା ପରବର୍ତ୍ତୀ ସମୟରେ ଯେତେସବୁ ଭୟଙ୍କର ଅଥବା ଅତି ଭୟଙ୍କର ବାତ୍ୟା ହୋଇଛି (ଫଣୀ ସମେତ) ସେ ସବୁରେ ମୃତ୍ୟୁ ସଂଖ୍ୟା କମିଛି । ଏଥିରୁ ଦୁଇଟି କଥା ସ୍ପଷ୍ଟ ହୁଏ; ପ୍ରଥମରେ, ଓଡିଶା ସରକାର ବାତ୍ୟା ମୁକାବିଲା କରିବା ଓ ପ୍ରସ୍ତୁତ ରହିବାର ଶିକ୍ଷା ଲାଭ କରିଛନ୍ତି  କିନ୍ତୁ ଦ୍ବିତୀୟରେ, ଏହି ପ୍ରସ୍ତୁତି ପର୍ଯ୍ୟାପ୍ତ ନୁହେଁ । କାରଣ ସହରାଞ୍ଚଳରେ ଥିବା ଗରିବ ଓ ଗ୍ରାମାଞ୍ଚଳର କ୍ଷୁଦ୍ରଚାଷୀମାନେ ହିଁ ବାତ୍ୟାର ବାରମ୍ବାରତା ହେତୁ ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି ଯାହାର ଭରଣା ସରକାର କରିବାରେ ବିଫଳ ହେଉଛନ୍ତି

 

 

ସମୁଦ୍ର ଜଳସ୍ତର ବୃଦ୍ଧି :

            ମୁଖ୍ଯତଃ ଦୁଇଟି କାରଣ ଯୋଗୁଁ ସମୁଦ୍ର ଜଳସ୍ତର ବୃଦ୍ଧି ପାଇଥାଏ। ପ୍ରଥମରେ, ଜଳରେ ଅଙ୍ଗାରକାମ୍ଳ ଓ ମିଥେନ ଗ୍ଯାସ ଦ୍ରବିଭୂତ ହୋଇ ଗ୍ରୀଷ୍ମ ପ୍ରବାହ ସୃଷ୍ଟି କରିବା ଓ ଦ୍ବିତୀୟରେ, ଆଣ୍ଟାର୍କାଟିକା ଓ ଅନ୍ୟ ବରଫାବୃତ ଅଞ୍ଚଳରେ ବିଶ୍ଵ ତାପମାତ୍ରା ବୃଦ୍ଧି ହୋଇ ବରଫ ତରଳିବା, ଏହି ଦୁଇ କାରଣ ହେତୁ ସମୁଦ୍ର ଜଳସ୍ତର ବୃଦ୍ଧି ପାଇଥାଏ ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦ୍ର ଜଳ ଅଧିକ ଉତ୍ତପ୍ତ ହେବା କାରଣରୁ ବାତ୍ୟାର ବାରମ୍ବାରତା ବଢୁଛି । କିନ୍ତୁ ଭବିଷ୍ୟତରେ ଏହି ଅତ୍ୟଧିକ ବରଫ ତରଳିବା ମଧ୍ୟ ବାତ୍ୟାର ବାରମ୍ବାରତାର ଅଧିକ କାରଣ ହେବ ।  

            ବିଂଶ ଶତାବ୍ଦୀରେ ଏହି ଦୁଇ କାରଣ ଯୋଗୁଁ ସମୁଦ୍ର ଜଳସ୍ତର ହାରାହାରି ୨୦ ସେମି (୮ ଇଞ୍ଚି) ବଢିଛି ଉଭୟ ଜଳର ତାପ ବଢିବା ଓ ବରଫ ତରଳିବା ହେତୁ ଏହା ହୋଇଛି । ବର୍ତ୍ତମାନ କିନ୍ତୁ ସମୁଦ୍ର ଜଳସ୍ତର ବୃଦ୍ଧି ବର୍ଷକୁ ହାରାହାରି ୩.୫ମିଲିମିଟିର ରହିଛି ଯାହାକି ଗଲା ଶତାବ୍ଦୀର ହାର (ବର୍ଷକୁ ୨ ମିଲିମିଟର) ଠାରୁ ଅଧିକ। ଏହି ବୃଦ୍ଧି ଉଭୟ ଜଳର ତାପ ବଢିବା ଓ ମେରୁରେ ବରଫ ତରଳିବା ହେତୁ ହେଉଛି ଏହା ଚିନ୍ତାର ବିଷୟ । ଏବେ ବିତର୍କ ଚାଲିଛି ଯେ ଏହି ସମୁଦ୍ର ଜଳପତନର ବୃଦ୍ଧିର ବେଗ କେତେ, କ୍ଷିପ୍ର ନା ମଧ୍ୟମ ।

            ଓଡିଶା ପାଇଁ ଏହି ଜଳସ୍ତର ବୃଦ୍ଧି ଆହୁରି ବିପର୍ଯ୍ୟୟ ଆଣିବ, କାରଣ ଭାରତର ସମଗ୍ର ପୂର୍ବତଟ ଭୂଭାଗ ଭୂତାତ୍ଵିକ କାରଣ ଯୋଗୁଁ ଦବି ଚାଲିଛି ଭୂଭାଗ ଦବିଯିବାର କାରଣ ହେଲା ଭୂତଳ ଜଳର ଅଧିକ ବ୍ୟବହାର (ଶିଳ୍ପ, ସହରୀକରଣ ତଥା ଜଳସେଚନ)ଅନ୍ୟ ଏକ ମନୁଷ୍ୟ କୃତ କାରଣ ହେଲା ସମୁଦ୍ର ମଧ୍ୟରେ ବନ୍ଦର, ସାମୁଦ୍ରିକ କାନ୍ଥ ବା ପ୍ରାଚୀର ନିର୍ମାଣ ଦ୍ଵାରା ସାମୁଦ୍ରିକ ସ୍ରୋତ ବାଧାପ୍ରାପ୍ତ ହେଉଛି । ଏହାଦ୍ବାରା ଉପକୂଳରେ ଗୋଟିଏ ପାର୍ଶ୍ଵରେ ବାଲି ଜମା ହୋଇଥାଏ ଓ ଅନ୍ୟ ପାଖରେ ବାଲି ଧୋଇ ହୋଇଯାଏ ।

            ଯେଉଁଭଳି ଭାବରେ ଜଳବାୟୁ ପରିବର୍ତ୍ତନ ଘଟୁଛି ସେଥିରେ ସମୁଦ୍ର ଜଳସ୍ତର ବୃଦ୍ଧି ପାଇଁ କେବଳ ବିଶ୍ଵ ତାପମାତ୍ରା ବୃଦ୍ଧି ଏକ ମାତ୍ର କାରଣ କହିବା ଠିକ ହେବ ନାହିଁ । ତଥାପି  ସମୁଦ୍ର ଜଳସ୍ତର ବୃଦ୍ଧିର ଏହା ମୁଖ୍ୟ କାରଣ ରହିବ। ଏହି ଜଳପତନ ବୃଦ୍ଧି ହେତୁ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଲୋକମାନଙ୍କ ଘର, ଦ୍ଵାର ଓ ଚାଷ ଜମି ପାଣିରେ ବୁଡିଯିବ । ଓଡିଶାର ପ୍ରାୟ ୮୦ କିମି ଲମ୍ବ ସମୁଦ୍ରକୁଳ ଏହା ଦ୍ଵାରା ପ୍ରଭାବିତ ହେବ । ଏହାର ଉଦାହରଣ ଆମେ କେନ୍ଦ୍ରାପଡା ଜିଲ୍ଲାର ସାତଭାୟା ଠାରେ ଦେଖିସାରିଲେଣି । ବାଲେଶ୍ଵର ଜିଲ୍ଲା ଶେଷ ଭାଗରେ ଥିବା ପଶ୍ଚିମବଙ୍ଗର ପେଣ୍ଠ ଅଞ୍ଚଳ ଖୁବ ଶୀଘ୍ର ସମୁଦ୍ରଗର୍ଭରେ ଲୀନ ହେବାର ଆଶଙ୍କା ରହିଛି । ତେଣୁ ଏହି ସମସ୍ଯା ଚାଷୀ, ମସ୍ଚ୍ୟଜୀବୀ ଓ ଅନ୍ଯାନ୍ଯ ଉପକୂଳ ବାସିନ୍ଦାଙ୍କ ପାଇଁ ଚରମ ବିପର୍ଯ୍ୟୟ ଆଣିବ ଓ ଅନେକ ସମସ୍ଯା ସୃଷ୍ଟି କରିବ।  

ମସ୍ଚ୍ୟଜୀବୀଙ୍କ ଉପରେ ପ୍ରଭାବ :

            ବିଶ୍ଵ ତାପମାତ୍ରା ବୃଦ୍ଧିର ପ୍ରଭାବ ମାଛୁଆରାଙ୍କ ଉପରେ ବେଶ ଅନୁଭବ ହେଲାଣି । ତାମିଲନାଡୁ ଓ କର୍ଣ୍ଣାଟକର ମସ୍ଚ୍ୟଜୀବୀ ଯେଉଁମାନଙ୍କୁ ମୁଁ ଭେଟିଛି ସେମାନଙ୍କ କହିବ କଥା ହେଲା ଯେ ଗତ କିଛି ବର୍ଷ ଧରି ବାୟୁ ଓ ସମୁଦ୍ର ସ୍ରୋତରେ ପରିବର୍ତ୍ତନ ଦେଖାଦେଇଛି ।  ବାୟୁ ଓ ସମୁଦ୍ର ସ୍ରୋତର ଦିଗ ଓ ବେଗ ଆଉ ଆଗଭଳି ପୂର୍ବରୁ ଅନୁମାନ କରିହେଉନାହିଁ । ସେମାନେ ସମୁଦ୍ର ଭିତରକୁ ଯିବାକୁ ଭୟ କରୁଛନ୍ତି ଓ ଆଗ ଭଳି ଯଥେଷ୍ଟ ପରିମାଣର ମାଛ ମଧ୍ୟ ମିଳୁ ନାହିଁଅବଶ୍ୟ ଟ୍ରଲର ଓ ବଡ ବଡ ବ୍ୟବସାୟୀମାନଙ୍କ ଦ୍ଵାରା ଅତ୍ୟଧିକ ମାଛଧରା ଏହାର ଅନ୍ଯତମ କାରଣ ହୋଇପାରେ ।

            ଓଡିଶାରେ ଏହା ମଧ୍ୟ ଲକ୍ଷ୍ୟ କରାଯାଇଛି ଯେ ସମୁଦ୍ର ଜଳ ଉତ୍ତପ୍ତ ହେବା କାରଣରୁ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରଜାତିର ମାଛ ଉତ୍ତର ଦିଗକୁ ଗତି କରୁଛନ୍ତି। ଉଦାହରଣ ସ୍ୱରୂପ ୩୦ ବର୍ଷ ତଳେ ସାର୍ଡିନ ଓ ମକରେଲ ଜାତୀୟ ମାଛ ଓଡିଶା ଉପକୂଳରେ ଦେଖା ଯାଉନଥିଲାକିନ୍ତୁ ଏ ସବୁ ମାଛ ବର୍ତ୍ତମାନ ପଶ୍ଚିମବଙ୍ଗ ଉପକୂଳରେ ପହଞ୍ଚିଗଲେଣି । ଅଧିକ ଦର ଓ ପୌଷ୍ଟିକ ଗୁଣ ଥିବା ଏହି ମାଛ ମସ୍ଚ୍ୟଜୀବୀଙ୍କ ପାଇଁ ଲାଭଦାୟକ ହେଲେ ମଧ୍ୟ ସମୁଦ୍ରଜଳ କ୍ରମାଗତ ଉତ୍ତପ୍ତ ହେଉଥିବାରୁ ଏହା କେତେ ଦିନ ଚାଲିବ, ତାହା ପରବର୍ତ୍ତୀ ସମୟରେ ଜଣାପଡିବ

ଅତ୍ୟଧିକ ତାପମାତ୍ରା  :

            ଓଡିଶାରେ ବିଶ୍ଵ ତାପମାତ୍ରା ବୃଦ୍ଧିର ପ୍ରଭାବ ସବୁଠାରୁ ବେଶୀ ଅନୁଭୂତ ହେଉଛି ଗ୍ରୀଷ୍ମ ଋତୁରେ ଏହି ଋତୁରେ ଅଧିକ ଦିନ ଧରି ଗରମ ଅନୁଭୂତ ହୋଇଥାଏ ଓ ତାପମାତ୍ରା କ୍ରମାଗତ ଭାବରେ ଅଧିକ ସମୟ ଧରି ପୂର୍ବ ବର୍ଷ ଠାରୁ ଅଧିକ ରହିଥାଏ । ଏହି ସମୟରେ ଅତ୍ୟଧିକ ଗରମ  ସହିତ ବାୟୁମଣ୍ଡଳର  ଆଦ୍ରତା ମଧ୍ୟ ବଢିଛି । ଏହି ଉଭୟ ଘଟଣା ବିଶ୍ଵ ତାପମାତ୍ରା ବୃଦ୍ଧିର ପରିଣାମ ଯାହାର କାରଣ ହେଲା ସ୍ଥଳଭାଗ ମୃତ୍ତିକାର ଆଦ୍ରତା ହ୍ରାସ ଓ ସମୁଦ୍ରର ଜଳସ୍ତରର ତାପମାତ୍ରା ବୃଦ୍ଧି । ଆଉ ମଧ୍ୟ ଏକ ଉତ୍ତପ୍ତ ବାୟୁମଣ୍ଡଳ ଅଧିକ ଜଳକଣା ଧରି ରଖିଥାଏ ।

            ବାୟୁମଣ୍ଡଳ ଉତ୍ତପ୍ତ ହେଲେ ଏହା ଖୋଲା ସ୍ଥାନରେ କାମ କରୁଥିବା ନିର୍ମାଣ ଶ୍ରମିକ, ଚାଷୀ, କୃଷି ଶ୍ରମିକ, ଠିକା ଶ୍ରମିକ, ସହରାଞ୍ଚଳ ଶ୍ରମିକ, କାରଖାନା ଶ୍ରମିକଙ୍କୁ ଅଧିକ ପ୍ରଭାବିତ କରିଥାଏ । ଏହା ମଧ୍ୟ ଶ୍ରମଜୀବୀ ମହିଳା, ବୃଦ୍ଧ ବୃଦ୍ଧା ଓ କୁପୋଷିତମାନଙ୍କୁ ପ୍ରଭାବିତ କରିଥାଏ । ଆଜି ଏକ ଅଧ୍ୟୟନରୁ ଜଣାପଡେ ଯେ ୨୦୧୫ ମସିହାରେ ଅବିଭକ୍ତ ଆନ୍ଧ୍ରପ୍ରଦେଶରେ ଅତ୍ୟଧିକ ଗରମ ଯୋଗୁଁ ପ୍ରାୟ ୨୫୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା । ଓଡିଶାରେ ମଧ୍ୟ ଏହି ତାପ ପ୍ରବାହରେ ଅନେକଙ୍କ ମୃତ୍ୟୁ ହୋଇଛି ।

            ଲାନସେଟ ପତ୍ରିକାରେ ବାହାରିଥିବା ଦୁଇ ନୂଆ ଅଧ୍ୟୟନରୁ ଜଣାପଡେ ଯେ ବାହାରେ କାମ କରୁଥିବା ଶ୍ରମିକମାନଙ୍କ ଉପରେ ଅତ୍ୟଧିକ ତାପ ଯୋଗୁଁ କ୍ରୋନିକ କିଡନି ରୋଗ ବା ସିକେଡ଼ି ପରିଲକ୍ଷିତ ହେଉଛି । ଓଡିଶାରେ ଏ ସମ୍ବନ୍ଧରେ କିଛି ଅଧ୍ୟୟନ ହୋଇଛି କି ନାହିଁ ତାହା ମୋତେ ଜଣାନାହିଁ । କିଛି ବର୍ଷ ତଳେ ଓଡିଶାର କୃଷକ ସଂଗଠନର ନେତାମାନଙ୍କ ଠାରୁ ଜଣାପଡିଥିଲା ଯେ ବିଭିନ୍ନ ଫସଲର ଉତ୍ପାଦନ ଅତ୍ୟଧିକ ତାପ ହେତୁ ପ୍ରଭାବିତ ହେଉଛି । କୌଣସି ଫସଲଚକ୍ରର ବିଭିନ୍ନ ପର୍ଯ୍ୟାୟରେ ବାୟୁମଣ୍ଡଳର ଉତ୍ତାପ ଫସଲର ସହନ ସୀମା ଠାରୁ ଅଧିକ ହେଲେ ଏହାର ଉତ୍ପାଦନ କ୍ଷମତା କମ ହୋଇଥାଏ । ଏପରି କ୍ଷେତ୍ରରେ ଆବଶ୍ୟକ ଜଳସେଚନ ସୁବିଧା ନଥିବା ହେତୁ, ମାଟିର ଆଦ୍ରତା କମ ହେବା କାରଣରୁ, ବିଶେଷକରି ଛୋଟ ଚାଷୀମାନେ ଅଧିକ ପ୍ରଭାବିତ ହୋଇଥାନ୍ତି । ଦୁର୍ଦ୍ଦଶା ଗ୍ରସ୍ତ ଛୋଟ ଚାଷୀମାନଙ୍କ ସମସ୍ଯା ଏହା ଦ୍ଵାରା ଦ୍ଵିଗୁଣିତ ହୁଏ ।  

ବୃଷ୍ଟିପାତ :

            ବୃଷ୍ଟିପାତରେ ପରିବର୍ତ୍ତନ ଏକ ଜଟିଳ ସମସ୍ଯା ୧୯୬୦ ମସିହା ପରଠାରୁ ଦକ୍ଷିଣ – ପଶ୍ଚିମ ମୌସୁମୀ ପ୍ରଭାବରେ ହେଉଥିବା ବର୍ଷାର ପରିମାଣ କ୍ରମାଗତ କମ ହେଉଥିବା ମନେହୁଏ । ଏହାକୁ ଜଳବାୟୁର ଲମ୍ଫ କୁହାଯାଏ । ଏହା ପ୍ରାକୃତିକ କାରଣ ଯୋଗୁଁ ହୋଇପାରେ । କିନ୍ତୁ ଏହା ସହିତ, ବିଶ୍ଵ ତାପମାତ୍ରା ବୃଦ୍ଧି ଯୋଗୁଁ ପଶ୍ଚିମ ଭାରତ ମହାସାଗର ଅସ୍ବାଭାବିକ ଭାବେ ଉତ୍ତପ୍ତ ହୋଇଛି  । ଫଳରେ ଓଡିଶା ସମେତ ଅନେକ ଅଞ୍ଚଳରେ ମୌସୁମୀ ବର୍ଷାର ପରିମାଣ ହ୍ରାସ ପାଇଛି ।

            ମୌସୁମୀ ଋତୁର ଅନ୍ୟ ଏକ ପରିବର୍ତ୍ତନ ହେଉଛି ବର୍ଷାର ଅନିୟମିତତା । ଅର୍ଥାତ ଏହା ଅଧିକ ପରିବର୍ତ୍ତନଶୀଳ ହୋଇଛି କେବେ ବର୍ଷାର ଆଗୁଆ ସୂଚନା ମିଳୁନାହିଁ, କେବେ ବହୁଦିନ ଧରି ବର୍ଷାଭାବ ରହୁଛି ପୁଣି କେବେ ଏକ କାଳୀନ ୨-୩ ଦିନ ମଧ୍ୟରେ ପ୍ରବଳ ବର୍ଷା ହେଉଛି ଓ ପୁଣି ବର୍ଷାଭାବ ଲାଗି ରହୁଛି । ଏହା ସହିତ ଦକ୍ଷିଣ ପଶ୍ଚିମ ମୌସୁମୀ ବିଳମ୍ଭରେ ଆସୁଛି ଓ ବିଳମ୍ଭରେ ଯାଉଛି ଯେଉଁ ଚାଷୀମାନେ ମୌସୁମୀ ବର୍ଷାର ନିୟମିତ ଆଗମନ ସହ ଚାଷ କାମ କରିବାରେ ଅଭ୍ୟସ୍ତ ଥିଲେ, ସେମାନେ ଏହି ଅନିୟମିୟତା ହେତୁ ବିଶେଷ ଭାବରେ ପ୍ରଭାବିତ ହେଉଛନ୍ତି । ଯେଉଁମାନଙ୍କର ଭୂତଳ ଜଳ ଉତ୍ତୋଳନର ସାଧନ ଅଛି, ସେମାନେ ସ୍ୱଳ୍ପ ବର୍ଷା ଜନିତ କ୍ଷତିରୁ କିଛିଟା ରକ୍ଷା ପାଇଯାଉଛନ୍ତି । କିନ୍ତୁ ଯେଉଁମାନଙ୍କର ନିଜର ସାଧନ ନାହିଁ କିମ୍ବା ଅନ୍ୟମାନଙ୍କ ଠାରୁ ଜଳ କିଣି ପାରନ୍ତି ନାହିଁ ସେହିମାନେ ହିଁ ଅସୁବିଧାରେ ପଡନ୍ତି । ଏଠାରେ ଲକ୍ଷ୍ୟ କରିବାର କଥା ଯେ ଏହା ପଛରେ ଜଳବାୟୁ ପରିବର୍ତ୍ତନ ବ୍ଯତୀତ, ବାୟୁ ପ୍ରଦ୍ଯୁଷଣ, ଜଙ୍ଗଳଧ୍ଵଂସ, ଜମିର ଚାଷ ଓ ଅଣ ଚାଷ ବ୍ୟବହାରରେ ପରିବର୍ତ୍ତନ ଆଦି ଅନ୍ଯାନ୍ଯ କାରଣ ସବୁ ରହିଛି ।

            ୧୯୫୦-୨୦୧୫ ମସିହା ମଧ୍ୟରେ ଗୁଜୁରାଟରୁ ଓଡିଶା ପର୍ଯ୍ୟନ୍ତ ପରିବ୍ୟାପ୍ତ ବିରାଟ ଅଞ୍ଚଳରେ ଗୋଟେ ଦିନରେ ବ୍ୟାପକ ବୃଷ୍ଟିପାତ (ଦୈନିକ ୧୫୦ ମିଲିମିଟରରୁ ଅଧିକ) ଘଟଣା ପ୍ରାୟ ୩ ଗୁଣ ବୃଦ୍ଧି ପାଇଛି । ଭାରତ ମହାସାଗର ସମୁଦ୍ରଜଳର ଉତ୍ତାପ ବୃଦ୍ଧି ଏବଂ ଉତ୍ତର ପଶ୍ଚିମ ଭାରତ ଓ ପାକିସ୍ତାନର ଉତ୍ତପ୍ତ ସ୍ଥଳ ଭାଗ ଯୋଗୁଁ ଏ ଭଳି ଘଟଣାମାନ ଦେଖାଦେଇଛି ।

            ଏହି ଛୋଟ ଲେଖାରେ ଅନ୍ଯାନ୍ଯ ଜୀବଜନ୍ତୁ ଓ ବୃକ୍ଷଲତା ଉପରେ ଏହାର ପ୍ରଭାବ ସମ୍ବନ୍ଧରେ ବିଶେଷ ଭାବରେ ଉଲ୍ଲେଖ କରିପାରୁ ନାହିଁ । ମୁଖ୍ଯତଃ, ଏମାନେ ଦୁଇ ପ୍ରକାରରେ ପ୍ରଭାବିତ ହୋଇଥାନ୍ତି । ଜୀବଜନ୍ତୁଙ୍କ କ୍ଷେତ୍ରରେ ସେମାନଙ୍କ ଭୌଗଳିକ ଅବସ୍ଥିତିରେ ପରିବର୍ତ୍ତନ ଆସିଛି, ଯେପରି ମାଛର ଗତି ବିଷୟରେ ଆଗରୁ ଉଲ୍ଲେଖ କରାଯାଇଛି । ସେହିପରି ବୃକ୍ଷଲତାଙ୍କ କ୍ଷେତ୍ରରେ ସେମାନଙ୍କ କଢ ଧରିବା, ପତ୍ର କଅଁଳିବା , ଫଳ ଧରିବାର ସମୟ ଇତ୍ୟାଦିରେ ପରିବର୍ତ୍ତନ ଆସିଛି । ସାରା ବିଶ୍ଵରେ ହଜାର ହଜାର ପ୍ରଜାତିଙ୍କ କ୍ଷେତ୍ରରେ ଏପରି ଘଟିଚାଲିଛି । ବିଭିନ୍ନ ପ୍ରଜାତିମାନଙ୍କର ପାରସ୍ପରିକ ନିର୍ଭରଶୀଳତା ଉପରେ ପ୍ରତିଷ୍ଠିତ ପରିବେଶିକ ବ୍ୟବସ୍ଥାରେ ଏହା ବିଶୃଙ୍ଖଳ ସୃଷ୍ଟି କରୁଛି । ଏ ସମ୍ପର୍କରେ ପରେ ଆଲୋଚନା କରିବା ।

 

(ନାଗରାଜ ଆଡବେ ଜଣେ ମାନବିକ ଅଧିକାର କର୍ମୀ, ଲେଖକ ଓ ପରିବେଶବିତ । )

*ଏହି ଲେଖାଟି ଗଣଭିତ୍ତି ପତ୍ରିକାର ମାର୍ଚ୍ଚ – ଏପ୍ରିଲ ୨୦୨୦ ସଂଖ୍ୟାରେ ପ୍ରକାଶିତ ହୋଇସାରିଛି ।

Email (ମତାମତ ଲାଗି) : gassbhubaneswara@gmail.com

Comments

Popular posts from this blog

ଜନ ସ୍ୱାସ୍ଥ୍ୟ ସେବା, ଯାହାକୁ ସମସ୍ତେ ଭୁଲିଯିବାକୁ ବସିଲେଣି

ଆଦିବାସୀ ଶିକ୍ଷା ନାମରେ ଏକ ଫ୍ୟାକ୍ଟରୀ ସ୍କୁଲ ମଡେଲ