ଜନ ସ୍ୱାସ୍ଥ୍ୟ ସେବା, ଯାହାକୁ ସମସ୍ତେ ଭୁଲିଯିବାକୁ ବସିଲେଣି
ସର୍ବସାଧାରଣ
ସ୍ୱାସ୍ଥ୍ୟ ବ୍ୟବସ୍ଥା ଯେ କେତେ ଗୁରୁତ୍ଵପୂର୍ଣ୍ଣ, କୋଭିଡ –
19 ବା କରୋନା ମହାମାରୀ ତାହା ପ୍ରମାଣ କରୁଛି । ଅଧିକାଂଶ ରାଷ୍ଟ୍ରରେ ଏହା
ଜୀବନରକ୍ଷକ ଭାବରେ ଆବିର୍ଭାବ ହୋଇଛି । କିନ୍ତୁ ଘରୋଇ ସ୍ୱାସ୍ଥ୍ୟସଂସ୍ଥା ସବୁ ନିଲ୍ଲଜ ଭାବେ
ଏହି କରୋନା ଯୁଦ୍ଧରେ ନିଜକୁ ‘ସରଂକ୍ଷିତ ସୈନ୍ୟବାହିନୀ’ ଅଭିହିତ କରି ବୋଧହୁଏ ନିଜର ସମ୍ମାନ ରକ୍ଷା କରିବାକୁ ଚେଷ୍ଟା କରୁଛନ୍ତି । ଅଥଚ
ସେହିମାନେ ହିଁ କ୍ୟାନସର, ହୃଦରୋଗ ଭଳି ଅଣ-ସଂକ୍ରାମକ ରୋଗୀଙ୍କୁ
ଚିକିସ୍ଛା ନକରି ଫେରାଇ ଦେଇଛନ୍ତି ।
ସ୍ଵାଧୀନତା ପରଠାରୁ
ବିଶେଷ କରି ପ୍ରଫେସର ପି ସି ମହାଲାନୋବିସଙ୍କ ନେତୃତ୍ଵରେ ପରିଚାଳିତ ଯୋଜନା କମିଶନ ଦ୍ଵାରା
ସ୍ଥାପିତ ଜନ ସ୍ୱାସ୍ଥ୍ୟ ସେବା ଦେଶର ମାର୍ଗଦର୍ଶକ ନୀତି ଭାବେ 1980 ପର୍ଯ୍ୟନ୍ତ ଅନୁସୃତ
ହୋଇଆସୁଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଜନ ସ୍ୱାସ୍ଥ୍ୟ ସେବାର ଘରୋଇକରଣ ଆରମ୍ଭ ହେଲା ।
କ୍ରମେ କ୍ରମେ ରାଜନୈତିକ ବ୍ୟକ୍ତିଙ୍କ ପରୋକ୍ଷ ସମର୍ଥନରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଏକ ଧନ
ଉପାର୍ଜନର ମାଧ୍ୟମରେ ପରିଣତ ହେଲା । ଅନ୍ୟ ପକ୍ଷରେ,
ଲୋକମାନଙ୍କୁ ଧାରଣା ଦିଆଗଲା ଯେ ସ୍ୱାସ୍ଥ୍ୟ ସେବାର ଘରୋଇକରଣ ହିଁ ସବୁରୋଗର ଅବ୍ୟର୍ଥ ଔଷଦ ।
ଏଠାରେ ସ୍ମରଣ
କରାଇଦେବା ପ୍ରାସଙ୍ଗିକ ହେବ ଯେ ଅଷ୍ଟ୍ରିଆନ ଅର୍ଥଶାସ୍ତ୍ରୀ ଓ ନୋବେଲ ପୁରସ୍କାର ବିଜେତା ଫ୍ରେଡରିକ
ହାୟେକ 1960ରେ ତାଙ୍କର ପୁସ୍ତକ ‘The Constitution of liberty’ରେ ଜନସ୍ୱାସ୍ଥ୍ୟ ବ୍ୟବସ୍ଥାକୁ
ଘରୋଇ ଅନୁଷ୍ଠାନ ହାତରେ ଟେକିଦେବା ପାଇଁ ସୁପାରିଶ କରିଥିଲେ । ଆଧୁନିକ ପୁଞ୍ଜିବାଦର ଜନକ ଭାବେ
ହାୟେକଙ୍କ ଏହି ସ୍ୱାସ୍ଥ୍ୟସେବାର ମଡେଲ ବିଶ୍ଵରେ ପରିବ୍ୟାପ୍ତ ହେବାକୁ ଲାଗିଲା ଏବଂ ଭାରତରେ ମହାଲାନୋବିସଙ୍କ
ମଡେଲ ଧୀରେ ଧୀରେ ଗୁରୁତ୍ଵ ହରାଇବସିଲା । କିନ୍ତୁ ବିଡମ୍ବନାର କଥା ଯେ ଏହି ଲୋପ କରିଦିଆଯାଉଥିବା
ଜନସ୍ୱାସ୍ଥ୍ୟ ବ୍ୟବସ୍ଥା ହିଁ କରୋନା ମହାମାରୀ ସମୟରେ କାଶ୍ମୀର ଠାରୁ କେରଳ ପର୍ଯ୍ୟନ୍ତ ବହୁଲୋକଙ୍କ ରକ୍ଷାକର୍ତ୍ତା ପାଲଟିଲା ।
ଆଧୁନିକ ପୁଞ୍ଜିବାଦର
ଜନକ ହାଏକଙ୍କର ଏହି ଉପଦେଶ ଭାରତରେ ଲାଗୁହେଲା ପରେ କ’ଣ ସବୁ
ଘଟିଲା ?
୧. ଆର୍ଥିକ ଦୃଷ୍ଟିରୁ
ବିଚାର କଲେ, ଭାରତରେ ସ୍ୱାସ୍ଥ୍ୟସେବା ଖର୍ଚ୍ଚ ଦେଶର ମୋଟ
ଘରୋଇ ଉତ୍ପାଦନର ୧% ମଧ୍ୟରେ ସୀମିତ ରହିଆସିଛି ।
୨. ଏହି ବଜେଟ ବ୍ୟୟ
ବରାଦ କେବଳ ଉପରଠାଉରିଆ ଭାବେ ସରକାରୀ ସ୍ୱାସ୍ଥ୍ୟ ସେବାକୁ ବଞ୍ଚାଇରଖିବା ଓ କିଛି ବାରମ୍ବାର
ଦେଖାଦେଇଥିବା ରୋଗର ନିରାକରଣ ପାଇଁ ଖର୍ଚ୍ଚ ହେଉଥିଲା ।
୩. କେବଳ କେତୋଟି
ଏମ୍ସ ହସ୍ପିଟାଲ ସର୍ବଭାରତୀୟ ସ୍ତରରେ ଖୋଲିବା ବ୍ଯତୀତ କୌଣସି ନୂଆ ସରକାରୀ ଡାକ୍ତରଖାନା
ଖୋଲାଯାଇନାହିଁ । ଅନ୍ୟପକ୍ଷରେ ବୀମା କମ୍ପାନୀଙ୍କ ପ୍ରରୋଚନାରେ ସ୍ୱାସ୍ଥ୍ୟ ବୀମାକୁ ଉସ୍ଛାହିତ
କରାଯାଇଛି ।
୪. ରାଜଧାନୀ
ଭୁବନେଶ୍ବରରେ ୧୯୮୦ ମସିହା ଠାରୁ ଗୋଟିଏ ବି ସରକାରୀ ଡାକ୍ତରଖାନା ଖୋଲାଯାଇ ନାହିଁ ଯଦିଓ ଏହାର
ଲୋକସଂଖ୍ୟା ଆଜି ଦୁଇଗୁଣାରୁ ଅଧିକ ବୃଦ୍ଧି ହୋଇସାରିଛି । ଏଠାରେ ଯଦିଓ ୨୨ଟି ବଡ ଘରୋଇ
ଡାକ୍ତରଖାନା/ମେଡିକାଲ କଲେଜ ଏବଂ ଶହ ଶହ ନର୍ସିଙ୍ଗ ହୋମ ଖୋଲିଛି ମାତ୍ର ସହରର ୧୧ ଲକ୍ଷ ଲୋକଙ୍କ
ପାଇଁ ସମସ୍ତ ସୁବିଧା ଥିବା ସେହି ଗୋଟିଏ ସରକାରୀ ଡାକ୍ତରଖାନା କାମ କରୁଛି ।
୫. ଘରୋଇ
ଡାକ୍ତରଖାନାରେ ଚିକିସ୍ଛା ଅତ୍ୟନ୍ତ ବ୍ୟୟବହୁଳ ହୋଇଥିବାରୁ ପ୍ରତ୍ଯେକ ବର୍ଷ ପ୍ରାୟ ୨ % ଲୋକ “ଦାରିଦ୍ର୍ଯ ସୀମାରେଖା ତଳକୁ” (BPL) ଖସିଯାଉଛନ୍ତି ।
କାରଣ ସେମାନଙ୍କୁ ସେମାନଙ୍କ ଜମି, ଘରବାଡି ଓ ଗହଣାଗାଣ୍ଠି ଇତ୍ୟାଦି ଘରର
କାହାର ଚିକିସ୍ଛାଲାଗି ବିକ୍ରି କରିବାକୁ ପଡିଛି ।
୬. ଜନ ସ୍ୱାସ୍ଥ୍ୟ
ସେବା ତିନୋଟି ପକ୍ଷକୁ ନେଇ କାର୍ଯ୍ୟ କରେ; ଯଥା :
କ) ସେବା ଯୋଗାଣକାରୀ ଖ) ସେବା ଗ୍ରହୀତା ଓ ଗ) ସରକାର । ପ୍ରତ୍ଯକ୍ଷ ସେବା
ଯୋଗାଣକାରୀ ଭାବେ ସରକାର କ୍ରମଶଃ ନିଜର ଦାୟିତ୍ଵରୁ ଓହରିଯାଉଛନ୍ତି । ମାତ୍ର ସରକାର ସଂପୂର୍ଣ୍ଣ
ଭାବରେ ଭୂମିକାହୀନ ହୋଇଯାଉନାହାନ୍ତି ।
୭. ଏହି ନୂତନ
ବ୍ୟବସ୍ଥାରେ ସରକାରଙ୍କ ଭୂମିକା ହେଲା; କ) ସ୍ୱାସ୍ଥ୍ୟ
କମ୍ପାନୀମାନଙ୍କୁ ଅନୁକୂଳ ହେବା ଭଳି ନୀତି ପ୍ରଣୟନ କରିବା, ଖ) ସରକାରୀ
ସମ୍ପତ୍ତିକୁ କମ୍ପାନୀମାନଙ୍କୁ ଟେକିଦେବା ଗ) ଲୋକଙ୍କ ଆକ୍ରୋଶକୁ ସାମ୍ନା କରିବା ଲାଗି ପୁଲିସକୁ
ସଜାଗ ରଖିବା ଘ) ନ୍ୟାୟପାଳିକା ଯେପରି ସେବା ଗ୍ରହୀତାଙ୍କ ଅଭିଯୋଗର ତୁରନ୍ତ ଶୁଣାଣୀ ନକରିପାରେ
ତାହାର ଯୋଜନା କରିବା ।
୮. ପ୍ରତ୍ଯେକ ବର୍ଷ
ହଜାର ହଜାର ଡାକ୍ତର ଆମେରିକା, ଇଂଲଣ୍ଡ, ଅଷ୍ଟ୍ରେଲିଆ, କାନାଡା ଆଦି ବିକଶିତ ଦେଶକୁ ଚାଲିଯାଉଛନ୍ତି
। ଉଦାହରଣ ସ୍ୱରୂପ ୧୯୯୯ – ୨୦୦୦ ବର୍ଷରେ 54% ଏମ୍ସରୁ ପାସ କରିଥିବା ଡାକ୍ତର ବିଦେଶକୁ
ଚାଲିଯାଇଛନ୍ତି (ବିଶ୍ଵସ୍ଵାସ୍ଥ୍ୟ ସଂଗଠନର ତଥ୍ୟ) । ଅଥଚ ସେମାନେ ସମସ୍ତେ ସରକାରୀ
ଖର୍ଚ୍ଚରେ ବା ଲୋକଙ୍କ ଖର୍ଚ୍ଚରେ ଶିକ୍ଷାପ୍ରାପ୍ତ ।
୯. ସେହି
ଡାକ୍ତରମାନଙ୍କୁ ଆମ ଦେଶରେ ରଖିବା ପାଇଁ କିମ୍ବା ଦେଶ ବାହାରକୁ ଯିବାକୁ ଚାହିଁଲେ ସେମାନଙ୍କ
ଠାରୁ ଖର୍ଚ୍ଚ ଆଦାୟ କରିବା ପାଇଁ କୌଣସି ନିତୀ ନିୟମ କୌଣସି ସରକାର କେବେ କରିନାହାନ୍ତି ।
୧୦. ଆମେରିକାରେ
ପ୍ରତି ୫ ଜଣରେ ଜଣେ ଡାକ୍ତର ଅଣ-ଆମେରିକୀୟ ଅଟନ୍ତି ।
ସେମାନଙ୍କ ମଧ୍ୟରୁ ପ୍ରାୟ 61% ହେଉଛନ୍ତି ଭାରତୀୟ । (ଜର୍ନାଲ ଅଫ ରୁରାଲ ହେଲ୍ଥ)
୧୧ . ୨୦୦୯ ମସିହାରେ
ଡାକ୍ତର ଶ୍ରୀନାଥ ରେଡ୍ଡୀ କମିଟି ତାଙ୍କର ୪୦୦ ପୃଷ୍ଠାର ରିପୋର୍ଟରେ ଦର୍ଶାଇଥିଲେ ଯେ
ସ୍ୱାସ୍ଥ୍ୟ ବୀମା ଯୋଜନା କଦାପି ଜନ ସ୍ୱାସ୍ଥ୍ୟ ସେବାର ବିକଳ୍ପ ହୋଇନପାରେ । ସେହି ରିପୋର୍ଟ
ପୁରୁଣା ଖବର କାଗଜ ଭଳି ଅଦରକାରୀ ହୋଇଯାଇଛି ।
୧୨ . ସର୍ବଶେଷରେ, ଏହି କରୋନା ମହାମାରୀ ସମୟରେ ଆମ ଅର୍ଥମନ୍ତ୍ରୀ ୨୦ ଲକ୍ଷ କୋଟି ତାଙ୍କର ଯେଉଁ
ପ୍ଯାକେଜ ଘୋଷଣା କଲେ, ସେଥିରେ ଜନ ସ୍ୱାସ୍ଥ୍ୟ ସେବା ପାଇଁ ଟଙ୍କାଟିଏ
ବି ନଥିଲା । ବିଡମ୍ବନାର ବିଷୟ ଏହି ଯେ କରୋନା ଏକ ବଡ ସ୍ୱାସ୍ଥ୍ୟ ସମସ୍ଯା ଡାକି ଆଣିଲା, କିନ୍ତୁ ସରକାରଙ୍କ ପ୍ଯାକେଜରେ ବଡ ବଡ ଘରୋଇ କମ୍ପାନୀମାନଙ୍କ ଲାଗି ବ୍ୟବସ୍ଥା ରହିଲା
।
ବର୍ତ୍ତମାନ
ପରିସ୍ଥିତି ଆହୁରି ଶୋଚନୀୟ ହୋଇଚାଲିଛି । କରୋନା ମହାମାରୀ ପୁଣି ଥରେ ପ୍ରମାଣ କରି ଦେଲା ଯେ ସାରା
ବିଶ୍ଵରେ ଜନ ସ୍ୱାସ୍ଥ୍ୟ ସେବାର କୌଣସି ବିକଳ୍ପ ନାହିଁ । ଭାରତ ଭଳି ଏକ ବିକଶିତ
ରାଷ୍ଟ୍ରରେ ଖାଦ୍ଯ, ବାସଗୃହ, ପ୍ରଦ୍ଯୁଷଣମୁକ୍ତ ପରିବେଶ, ଶିକ୍ଷା ଓ ସ୍ୱାସ୍ଥ୍ୟ ଜନସାଧାରଣଙ୍କର
ମୌଳିକ ଅଧିକାରର ଅନ୍ତର୍ଭୁକ୍ତ । ସ୍ୱାସ୍ଥ୍ୟସେବାର ଘରୋଇକରଣ ଏହି ମୌଳିକ ଅଧିକାରର ଖିଲାପ
କରୁଛି ।
‘ଗଣତାନ୍ତ୍ରିକ
ଅଧିକାର ସୁରକ୍ଷା ସଂଗଠନ’, ଓଡିଶା ଦେଶର ସମସ୍ତ ଗଣତନ୍ତ୍ର ପ୍ରେମୀ
ଶକ୍ତିମାନଙ୍କୁ ଅନୁରୋଧ କରେ କି ସେମାନେ ସ୍ୱାସ୍ଥ୍ୟ ସେବାର ଏହି ଆର୍ଥିକକରଣ ବିରୋଧରେ ନିଜର
ବଳିଷ୍ଠ ସ୍ଵର ଉତ୍ତୋଳନ କରନ୍ତୁ ।
****
(ପ୍ରଥମେ ଅପଡେଟ-୭ ଭାବରେ ଓ ପରେ ‘ଗଣଭିତ୍ତି’ର ଜୁଲାଇ – ଅଗଷ୍ଟ ୨୦୨୦ ସଂଖ୍ୟାରେ ପ୍ରକାଶିତ)
ଗଣତାନ୍ତ୍ରିକ
ଅଧିକାର ସୁରକ୍ଷା ସଂଗଠନ, ଓଡିଶା ଦ୍ଵାରା ପ୍ରସ୍ତୁତ ।
ମତାମତ ଲେଖିବା ଲାଗି ଠିକଣା:
ସଭାପତି, ‘ଗାସ’ ଓଡିଶା । ଇମେଲ: gassbhubaneswara@gmail.com

Comments
Post a Comment