ଟାଟା ସାହିତ୍ୟ ମହୋସ୍ଛବ ଏବଂ ନୋମ ଚମସ୍କି ବିବାଦ

 



ନିହାର ରଞ୍ଜନ ମିଶ୍ର  

 

ବୃହତ କମ୍ପାନୀମାନଙ୍କ ଦ୍ଵାରା ପ୍ରଯୋଜିତ ଉସ୍ଛବକୁ ସୃଜନଶୀଳ ବର୍ଗ ନିମନ୍ତ୍ରିତ ହେବା ଓ ନିଜର କୃତ୍ତିକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବାର ଲୋଭରେ ସେହିସବୁ ସ୍ଥାନକୁ ଯିବା କୌଣସି ନୂଆକଥା ନୁହେଁ । କିନ୍ତୁ ସେଭଳି ସ୍ଥାନରେ ନିଜର ବିଚାରକୁ ସ୍ଵାଧୀନ ଭାବରେ ରଖିବା ପୂର୍ବରୁ ଆୟୋଜକଙ୍କ ଦ୍ଵାରା ଅସ୍ଵୀକୃତ ହେବା ଭଳି ଏକ ବିରଳ ଘଟଣା ନୋମ ଚମସ୍କିଙ୍କ କ୍ଷେତ୍ରରେ ଘଟିଛି । ଏହା ଆମକୁ ଅନେକ କିଛି ଶିକ୍ଷା ଦେଉଛି । 

ପୂର୍ବ ବର୍ଷ ଭଳି ଟାଟା କମ୍ପାନୀର ସାହିତ୍ଯ ମହୋସ୍ଛବ – ୨୦୨୦ ମସିହାର ନିମନ୍ତ୍ରିତ ଅତିଥି ତାଲିକାରେ ନୋମ ଚମସ୍କିଙ୍କ ନାମ ଦେଖି ଦେଶର ଶିକ୍ଷାବିତ, ଗଣତାନ୍ତ୍ରିକ ଅଧିକାର ସୁରକ୍ଷା କର୍ମୀ ତଥା ନାଗରିକ ସମାଜ ସଦସ୍ୟମାନେ ଏକ ଖୋଲାପତ୍ର ମାଧ୍ୟମରେ ଏହି କାର୍ଯ୍ୟକ୍ରମକୁ ପ୍ରତ୍ୟାଖ୍ୟାନ କରିବା ପାଇଁ ତାଙ୍କୁ ଅନୁରୋଧ କରିଥିଲେ । ଆମେରିକାରେ ଶିକ୍ଷାଦାନ କରୁଥିବା ନୋମ ଚମସ୍କି ନିଜ ଦେଶ ଆମେରିକାର ଶାସକଙ୍କ ଯୁଦ୍ଧଖୋର ମନୋବୃତ୍ତି ଓ ସାମ୍ରାଜ୍ୟବାଦୀ କାର୍ଯ୍ୟଶୈଳୀର ଘୋର ବିରୋଧୀ ।

 ଏହି ହେତୁ ସାମାଜିକ କର୍ମୀମାନେ  ନୋମ ଚମସ୍କିଙ୍କୁ ଦେଇଥିବା ଚିଠିରେ ଅନୁରୋଧ  କରିଥିଲେ “ଦେଶର ବିଭିନ୍ନ ପ୍ରାନ୍ତରେ ବାଧ୍ୟତାମୂଳକ ବିସ୍ଥାପନ, ମାନବିକ ଅଧିକାର ଉଲ୍ଲଂଘନ ଏବଂ ପରିବେଶର ଲୁଣ୍ଠନର ଦୀର୍ଘ ଇତିହାସ ଥିବା ଟାଟା ଗୋଷ୍ଠୀର ଏ ଭଳି ଏକ ଆୟୋଜନ ଯାହା ଦ୍ଵାରା ଟାଟା ଗୃପ ତାର ଅପରାଧକୁ ଜନଚେତନାରୁ ହଟାଇ ଓ ଜନପ୍ରିୟ ହେବାଲାଗି ଚେଷ୍ଟା କରୁଛି ସେଭଳି ଏକ ଉସ୍ଛବରେ ଯୋଗ ଦିଅନ୍ତୁ ନାହିଁ ।

            ଦାର୍ଶନିକ ଓ ବୁଦ୍ଧିଜୀବୀ ପ୍ରଫେସର ଚମସ୍କି ଓ ସାମ୍ବାଦିକ ଶ୍ରୀଯୁକ୍ତ ବିଜୟ ପ୍ରସାଦ ଏହି ଉସ୍ଛବରୁ ଓହରିବା ଲାଗି ମନା କରିଦେଇଥିଲେ କିନ୍ତୁ ଚିଠି ଲେଖିଥିବା ସାମାଜିକ କର୍ମୀ ଓ ଲେଖକଙ୍କୁ ଦେଇଥିବା ନିଜର ଉତ୍ତରରେ ଶ୍ରୀଯୁକ୍ତ ଚମସ୍କି ଓ ଶ୍ରୀଯୁକ୍ତ ପ୍ରସାଦ ପ୍ରତିଶୃତି ଦେଇଥିଲେ ଯେ ଏକ ବିବୃତ୍ତି ପଠନ କରି ଅଧିବେଶନ ଆରମ୍ଭ କରିବେ ଯାହା ଟାଟା ଏବଂ ବିଶେଷକରି ଟାଟା ଭଳି କମ୍ପାନୀ ବିଷୟରେ ସେମାନେ ଯାହା ଅନୁଭବ କରୁଛନ୍ତି ତାହା ସ୍ପଷ୍ଟ କରିବେ । ତାହାପରେ ସେମାନେ ଚମସ୍କିଙ୍କ ନୂତନ ପୁସ୍ତକ ଯାହା “ପରମାଣୁ ଯୁଦ୍ଧ, ଜଳବାୟୁ ପରିବର୍ତ୍ତନ ଏବଂ ଗଣତନ୍ତ୍ରର ଅବକ୍ଷୟ ଆଧାରିତ ସେ ବିଷୟରେ ବିଷଦ ଆଲୋଚନା ଜାରି ରଖିବେ “ 

ମାତ୍ର କାର୍ଯ୍ୟକ୍ରମ ଆରମ୍ଭ ହେବାର ଅଳ୍ପ କିଛି ଘଣ୍ଟା ପୂର୍ବରୁ, ନଭେମ୍ବର 20 ତାରିଖ ଦିନ,  ଟାଟା ସାହିତ୍ଯ ମହୋସ୍ଛବର ନିର୍ଦ୍ଦେଶକ ଅନିଲ ଧାରେକର ଏକ ଇମେଲ ମାଧ୍ୟମରେ ନୋମ ଚମସ୍କି - ବିଜୟ ପ୍ରସାଦଙ୍କ ମଧ୍ୟରେ ହେବାକୁ ଥିବା ଆଲୋଚନାକୁ ବାତିଲ କରାଗଲା ବୋଲି ସୂଚନା ଦେଇଥିଲେ  ଶ୍ରୀଯୁକ୍ତ ଚମସ୍କି ଓ ଶ୍ରୀଯୁକ୍ତ ପ୍ରସାଦ ସାମାଜିକ କର୍ମୀମାନଙ୍କୁ ଦେଇଥିବା ଚିଠିଟି ଗଣମାଧ୍ୟମରେ ପ୍ରସାରିତ ହେବାର ଅଳ୍ପ କେତେକ ମୂହୁର୍ତ୍ତ ମଧ୍ୟରେ ଅପ୍ରତ୍ଯାଶିତ ରୂପେ ଆଲୋଚନାକୁ ବାତିଲ କରାଯିବା ଅନେକଙ୍କୁ ଚକିତ କରିଥିଲା ।

            ଟାଟା ସାହିତ୍ଯ ମହୋସ୍ଛବର ନିର୍ଦ୍ଦେଶକଙ୍କ ଦ୍ଵାରା ବାର୍ତ୍ତାଳାପ ବାତିଲ ହେବା ପରେ କ୍ଷୁବ୍ଧ ଶ୍ରୀଯୁକ୍ତ ଚମସ୍କି ଓ ଶ୍ରୀଯୁକ୍ତ ପ୍ରସାଦ ଏକ ମିଳିତ ବିବୃତ୍ତିରେ ପ୍ରକାଶ କରନ୍ତି, ଆମେ ଟାଟା କମ୍ପାନୀର ସମସ୍ତ କାରନାମା ସମ୍ପର୍କରେ ଜାଣି ମଧ୍ୟ ସେମାନଙ୍କ ଅନୁରୋଧ ପରେ ସହମତ ହୋଇଥିଲୁ କାରଣ ଆମେ ବିଶ୍ଵାସ କରୁଥିଲୁ ଯେ ପୁସ୍ତକର ବିଷୟ ବସ୍ତୁ –ଆଣବିକ ଯୁଦ୍ଧର ବିପଦ, ଜଳବାୟୁ ବିପର୍ଯ୍ୟୟ, ଗଣତନ୍ତ୍ରର ଅବକ୍ଷୟ ସମ୍ପର୍କରେ ବ୍ୟାପକ ପ୍ରସାର ଏବଂ ବିତର୍କ ଆବଶ୍ୟକ । ଉସ୍ଛବର ପ୍ରଯୋଜକ, ଟାଟା କମ୍ପାନୀ, ସମ୍ପର୍କରେ ଆମର ଅସହମତି ରହିଥିଲେ ସୁଦ୍ଧା ଏକ ବୃହତ୍ତର ଉଦ୍ଦେଶ୍ୟ ଲାଗି ଏଥିରେ ଯୋଗ ଦେଇଥିଲେ ଆମେ ଖୁସି ହୋଇଥାନ୍ତୁ । ଆମେ ଜାଣି ନାହୁଁ ଆୟୋଜକମାନେ ଏହି ଅଧିବେଶନ କାହିଁକି ବାତିଲ କଲେଆମେ କେବଳ କଳ୍ପନା କରି ପଚାରି ପାରିବା ଯେ ଏହା କଣ ସେନ୍ସରର ପ୍ରଶ୍ନ ଥିଲା କି?’

            ଏଠାରେ ପ୍ରଶ୍ନ ଆସେ ଯେ ନୋମ ଚମସ୍କିଙ୍କ ଭଳି ଜଣେ ଅତି ବିଜ୍ଞ ବ୍ୟକ୍ତି କେମିତି ଏହି ସାଧାରଣ କଥାଟିଏ ବୁଝିପାରିଲେ ନାହିଁ ଯେ ଟାଟା କମ୍ପାନୀ ବା ଅନ୍ୟ ଯେ କୌଣସି କମ୍ପାନୀ ସାହିତ୍ୟ ମହୋସ୍ଛବ କୌଣସି ସମାଜ ଉଦ୍ଧାର ଲାଗି କରୁନାହାନ୍ତି ବରଂ ନିଜର କଳା କାରନାମା ଉପରୁ ସାଧାରଣ ବ୍ୟକ୍ତିଙ୍କ ଧ୍ୟାନ ହଟାଇବା ଲାଗି ଏପରି କାର୍ଯ୍ୟକ୍ରମ କରୁଛନ୍ତିଠିକ ଏହା ହିଁ ହେଲା । 

ଚମସ୍କି ଓ ବିଜୟ ପ୍ରସାଦଙ୍କ ବିବୃତ୍ତି ଆସିବା ପରେ  ଟାଟା ସାହିତ୍ଯ ମହୋସ୍ଛବର ନିର୍ଦ୍ଦେଶକ ଅନିଲ ଧାରେକର ଗଣମାଧ୍ୟମକୁ ୨୨ ନଭେମ୍ବର ୨୦୨୦ ତାରିଖ ଦିନ ଜଣାଇଲେ, ଆମ୍ଭେମାନେ ସାମାଜିକ କର୍ମୀମାନେ ଚମସ୍କି ଓ ବିଜୟ ପ୍ରସାଦଙ୍କୁ ଦେଇଥିବା ଚିଠି ଓ ଚମସ୍କିଙ୍କ ଉତ୍ତର ବିଭିନ୍ନ ଗଣମାଧ୍ୟମରୁ ଦେଖି ଏହି ବାତିଲ ନିଷ୍ପତ୍ତି ନେଇଥିଲୁ।  

ଚମସ୍କି ଓ ବିଜୟ ପ୍ରସାଦଙ୍କ ଉତ୍ତରରେ ସେମାନେ ସ୍ପଷ୍ଟ ଲେଖିଥିଲେ ଯେ ସେମାନେ କମ୍ପାନୀମାନଙ୍କ ବିଷୟରେ ବିଶେଷ କରି ଟାଟା କମ୍ପାନୀ ସମ୍ବନ୍ଧରେ କଣ ଭାବୁଛନ୍ତି ତାହା ସହିତ ସାମାଜିକ କର୍ମୀଙ୍କ ବିଚାରକୁ ପ୍ରକାଶ କରିଥାନ୍ତେ । କିନ୍ତୁ ତାଙ୍କୁ ( ଚମସ୍କି ଓ ବିଜୟ ପ୍ରସାଦ) ଦିଆଯାଇଥିବା ଅଧିବେଶନର ଏହା ବିଷୟ ନଥିବା ହେତୁ ଆମେ ବାତିଲ ଭଳି ଏକ ନିଷ୍ପତ୍ତି ନେବା ଲାଗି ବାଧ୍ୟ ହେଲୁ।

     ପ୍ରଶ୍ନ ଆସେ ଯେ ମାନବିକ ଅଧିକାର ଉଲ୍ଲଂଘନ ତଥା ପ୍ରକୃତିର ଲୁଣ୍ଠନ କରୁଥିବା କମ୍ପାନୀଗୁଡିକ ଏଭଳି ଉସ୍ଛବକୁ ପ୍ରଯୋଜନା କାହିଁକି କରିଥାନ୍ତି ? ଏଭଳି ଏକ ପ୍ରଶ୍ନକୁ ଆସିବା ପୂର୍ବରୁ ଯଦି ଆମେ ଆମର ସୃଜନତାର ବିଷୟଗୁଡିକ ଉପରେ ନଜର ରଖିବା ତେବେ ଦେଖିବା ଯେ ସୁନ୍ଦର ନଦୀ ଗୁଡିକ ଏବେ ଖଣି ଓ ପ୍ଳାଣ୍ଟର ଆବର୍ଜନା ବୋହୁଥିବା ନାଳ ପାଲଟିଗଲେଣିଦୂର ପାହାଡ ବି ଆଉ ସୁନ୍ଦର ଦେଖାଯାଉନି । ଏହାର ପୁଳା ପୁଳା ମାଂସକୁ ନରଖାଦକ ଖଣି କମ୍ପାନୀମାନେ ଟାଣି ଓଟାରି ନେଇଗଲେଣି । ଗାଁଗୁଡିକ ଜନମାନସ ଶୂନ୍ୟ ଦାଦନ ଓ ପ୍ରବାସୀଙ୍କ ପରିବାରରେ ପରିଣତ ହୋଇଗଲାଣି। ସାଧାରଣ ମଣିଷ ଯେ କେବେ ଖୋଲା ମନରେ ହସିଥିଲା ଏବେ ତାହା ତାହାର ମନେନାହିଁ  । ଏହା ପଛରେ କାରଣ ଖୋଜିଲେ ଆମେ କଣ ସେହି କଳା କମ୍ପାନୀମାନଙ୍କୁ ବାଦ ଦେଇ ଭିନ୍ନ କିଛି ଦେଖିପାରୁଛେ କି?

          କମ୍ପାନୀମାନେ ଯେ ଭିନ୍ନମତକୁ ରୋକିବା ଲାଗି ଏଭଳି ମହୋସ୍ଛବ ଆୟୋଜନ କରୁଛନ୍ତି ତାହା ନୁହେଁ ସେମାନେ ନିଜର କଳା ଇତିହାସ ଉପରୁ ଧ୍ୟାନ ହଟାଇଦେବା ଲାଗି ମଧ୍ୟ ଏପରି କାର୍ଯ୍ୟକ୍ରମ କରିଆସୁଛନ୍ତି । ଏହାର ଇତିହାସ ପୁରୁଣା ନୁହେଁ । ଯଦି ଆମେ ଟିକେ ପଛକୁ ଯାଇ ଦେଖିବା ତେବେ ନବେ ଦଶକ ପରଠାରୁ ଅଥବା ଏହି ଅର୍ଥନୈତିକ ସଂସ୍କାର ପରଠାରୁ ଟାଟା ଭଳି କମ୍ପାନୀମାନେ ସାହିତ୍ଯ ମହୋସ୍ଛବ, ନାଟକ ମହୋସ୍ଛବ, ସମ୍ବାଦଭିତ୍ତିକ ଟେଲିଭିଜନ କାର୍ଯ୍ୟକ୍ରମ ପୁସ୍ତକ ଉନ୍ମୋଚନ ଭଳି ସାମାଜିକ ଓ ସଂସ୍କୃତିକ କାର୍ଯ୍ୟକ୍ରମର ପ୍ରଯୋଜନା କରିଆସୁଛନ୍ତି । 

କମ୍ପାନୀ ପ୍ରଯୋଜିତ କାର୍ଯ୍ୟକ୍ରମରେ ସୁନାମଧାନ୍ୟ କଳାକାର, ସାହିତ୍ୟିକ, ସଂସ୍କୃତିକ କର୍ମୀ, ସାମ୍ବାଦିକ, କବି ଇତ୍ୟାଦି ଯୋଗଦେଇ ନିଜ ବିଚାରର ପରିପ୍ରକାଶ କରିଆସୁଛନ୍ତି । ଏଭଳି ଯୋଗଦାନକୁ ବିରୋଧ କରି ବିଭିନ୍ନ ପ୍ରଗତିଶୀଳ ବର୍ଗ ଏହାର ସମାଲୋଚନା କରିବା ମଧ୍ୟ ଆମର ଦୃଶିତ ହେଉଛି ।

  ତିନି ବର୍ଷ ତଳେ ଅଳ୍ପ କିଛି ସାମାଜିକ କର୍ମୀ ଭୁବନେଶ୍ବରରେ ଅନୁଷ୍ଠିତ ହେଉଥିବା ଟାଟା ସାହିତ୍ଯ ମହୋସ୍ଛବ ସ୍ଥଳକୁ ଯାଇ ଏହାର ବିରୁଦ୍ଧରେ  ପ୍ଲାକାର୍ଡ ଦେଖାଇଥିଲେ । ସେହିଭଳି କେତେକ ବ୍ୟକ୍ତି ୨୦୨୦ ମସିହାରେ ଚମସ୍କିଙ୍କୁ ଏଭଳି ସ୍ଥଳକୁ ନଆସିବା ଲାଗି ଚିଠି ମଧ୍ୟ ଲେଖିଥିଲେ । ଏହା ସତ୍ବେ ଏ ଭଳି କାର୍ଯ୍ୟକ୍ରମ ହୋଇଚାଲୁଛି ଓ ଏଥିରେ ଯୋଗଦେଉଥିବା ସାହିତ୍ୟିକ, ସାମ୍ବାଦିକ ଓ କର୍ମୀଙ୍କ ଅଭାବ ରହୁନାହିଁ ।

          ଅନେକ ସମୟରେ ଚମସ୍କିଙ୍କ ଭଳି ଖ୍ୟାତନାମା ଲେଖକ ଏଭଳି ପ୍ଲାଟଫର୍ମକୁ ବ୍ୟବହାର କରି ଅଧିକ ଲୋକଙ୍କ ପାଖରେ ପହଞ୍ଚିପାରିବା ଓ ନିଜର ବିଚାରକୁ ଲୋକଙ୍କ ପାଖରେ ରଖିବାର ଆଶା ପୋଷଣ କରିଥାନ୍ତି । ସେମାନେ ଏଭଳି ପ୍ଲାଟଫର୍ମର ପ୍ରଲୋଭନକୁ ଆଡେଇ ଯିବା ଲାଗି ସକ୍ଷମ ହୋଇପାରନ୍ତି ନାହିଁ। କିନ୍ତୁ କମ୍ପାନୀଦ୍ଵାରା ଦିଆଯାଉଥିବା ପ୍ଲାଟଫର୍ମ ସେମାନେ ବ୍ୟବହାର କରୁଛନ୍ତି ନା ପ୍ଲାଟଫର୍ମ ଦ୍ଵାରା ସେମାନେ ବ୍ୟବହୃତ ହେଉଛନ୍ତି ? 

ଏଭଳି ଉସ୍ଛବରେ ଭାଗନେବା ଦ୍ଵାରା ସତେରେ କଣ ସେମାନଙ୍କ ବିଚାରରେ ପରିବର୍ତ୍ତନ ହେଉଛି ? ସତେରେ କଣ ଏହାଦ୍ବାର ବିକ୍ରିହେଉଥିବା ବହି ଗୁଡିକ ସଂବେଦନଶୀଳ ପାଠକ ନିକଟରେ ପହଞ୍ଚିପାରୁଛି ? ଅପରପକ୍ଷରେ ତାଙ୍କର ସାମାଜିକ ଛବି ପ୍ରଯୋଜନକାରୀ କମ୍ପାନୀର ଅମାନବୀୟ ଛବିକୁ ବରଂ ନିର୍ମଳ କରୁନାହିଁ ତ? ସେମାନେ ଯୋଗଦେଉଥିବା ଉସ୍ଛବଗୁଡିକ ଟାଟା ଭଳି କମ୍ପାନୀର ଅପରାଧକୁ ଜନ ଚେତନାରୁ ଲୁପ୍ତ କରିବାର କାର୍ଯ୍ୟ କରୁନାହିଁ ତ? 

ଯୋଗଦେଉଥିବା ସୃଜନଶୀଳ ବର୍ଗ ନିଜେ ହିଁ ନିଜ ପାଖରେ ଏସବୁର ପ୍ରଶ୍ନ ଦେଇପାରିବେ ।

 

(ସଂଗ୍ରାମୀ ଚେତନାର ଗଣଭିତ୍ତି ପତ୍ରିକାର ନଭେମ୍ବର – ଡିସେମ୍ବର, ୨୦୨୦ ସଂଖ୍ୟାରେ ପ୍ରକାଶିତ।)

 

Comments

Popular posts from this blog

ଜନ ସ୍ୱାସ୍ଥ୍ୟ ସେବା, ଯାହାକୁ ସମସ୍ତେ ଭୁଲିଯିବାକୁ ବସିଲେଣି

ଆଦିବାସୀ ଶିକ୍ଷା ନାମରେ ଏକ ଫ୍ୟାକ୍ଟରୀ ସ୍କୁଲ ମଡେଲ

ଓଡିଶା ଉପକୂଳରେ ବାତ୍ୟାର ବାରମ୍ବାରତା, ଏହାର କାରଣ*