“ଐକ୍ୟବଦ୍ଧ ହେବା ଏକ ବିପ୍ଳବୀ ପ୍ରବଣତା” - ରବି ଦାସ
ସାକ୍ଷାତକାର:
୧
. ଆପଣ କେତେ ବର୍ଷ ବୟସରେ ବାମବାଦୀ ଆନ୍ଦୋଳନରେ ଯୋଗ ଦେଲେ?
ରବି ଦାସ: ମୋତେ ଏବେ
୮୧ କି ୮୩ ବର୍ଷ ହେବ । ମୋ ସ୍କୁଲବାଲା କହୁଛନ୍ତି ମୋର ଜନ୍ମ ୧୯୪୦ ମସିହାରେ । କିନ୍ତୁ
ବେଙ୍ଗଲରେ ଯେବେ ଦୁର୍ଭିକ୍ଷ (୧୯୪୨ -୪୩ ) ପଡିଥିଲା ସେତେବେଳେ ମୁଁ ୫ /୬ ବର୍ଷର ହୋଇଥିଲି। ତେଣୁ ମୋର ଜନ୍ମ ୧୯୪୦ ନହୋଇ
୧୯୩୭/୩୮ ହେବ । ମୋର ଜେଜେ ବାପାଙ୍କ ସହିତ କେନାଲ ପାଖକୁ ଯାଇ ଆମ ଅଞ୍ଚଳରୁ ଧାନ ପଠାଯିବା
ଦେଖିଛି । ମୋର ଏବେ ବି ସ୍ପଷ୍ଟ ମନେଅଛି । ସେତେବେଳେ ଆମ ଅଞ୍ଚଳରୁ ଜବରଦସ୍ତି ଜମିଦାରମାନେ
ଗୁଣ୍ଡା ଲଗେଇ ଧାନ କୁଜଙ୍ଗ କେନାଲ ଦେଇ କଲିକତା ପଠାଉଥିଲେ । ଯିଏ ପ୍ରତିବାଦ କରୁଥିଲା ସେ ଭିଷଣ
ମାଡ ଖାଉଥିଲା । ସେମାନେ ଧାନ ବଦଳରେ ଯେଉଁ ବଣ୍ଡ ଦେଲେ ତାହା ବାବଦ ଅର୍ଥ କେବେ ଲୋକଙ୍କୁ
ମିଳିଲା ନାହିଁ। ଯେତେବେଳେ ମୁଁ ସିପିଆଇରେ (ଭାରତୀୟ
କମ୍ୟୁନିଷ୍ଟ ପାର୍ଟି) ୧୯୬୦ ମସିହାରେ ଯୋଗ ଦେଲି
। ସେତେବେଳେ ତେଣୁ ମୋର ବୟସ ୨୩/୨୪ ବର୍ଷ ହେବ ।
୨.
ସିପିଆଇ ପାର୍ଟିରୁ ସିପିଆଇ(ଏମଏଲ ) ପର୍ଯ୍ୟନ୍ତ ଏହା ଆପଣଙ୍କ ଏକ ଲମ୍ବା ଯାତ୍ରା ନୁହେଁ କି?
ରବି ଦାସ: ମୁଁ
ସିପିଆଇ ପାର୍ଟିରେ ୧୯୬୦ ମସିହାରେ ଆସିଲା ବେଳେ ନବଯୁଗ ଗ୍ରନ୍ଥାଳୟ ଦାୟିତ୍ଵରେ ଥିଲି। ନିର୍ବାଚନ
ପ୍ରସଙ୍ଗରେ ସିପିଆଇ ପାର୍ଟିର ରାଜ୍ୟ ନେତୃବର୍ଗ କଂଗ୍ରେସ ପାର୍ଟିରେ ରାଜ୍ୟ ମୁଖ୍ୟ ଥିବା ବିଜୁ
ପଟ୍ଟନାୟକଙ୍କ ସହିତ ନିର୍ବାଚନୀ ବୁଝାମଣା କରିବା ହେତୁ ମୁଁ ଏହାକୁ ବିରୋଧ କରି ପାର୍ଟି
ଛାଡିଦେଲି । ଦେଶରେ ସିପିଆଇରୁ ସେ ସମୟରେ ବାହାରି ଆସିଥିବା ଅନେକ କର୍ମୀ ସିପିଆଇଏମ (ଭାରତୀୟ କମ୍ୟୁନିଷ୍ଟ
ପାର୍ଟି (ମାର୍କ୍ସବାଦ)) ଗଠନ କରିଥିଲେ । ପ୍ରଥମେ
ଯେବେ ବିଜୟୱାର୍ଡ଼ାରେ ସିପିଆଇଏମ ଗଠନ ଘୋଷଣା ହେଲା ଏଥିରେ ଯୋଗଦେଇଥିବା ସମସ୍ତ ସାଥୀଙ୍କୁ ନିଜ
ନିଜ ରାଜ୍ୟକୁ ଫେରିବା ସମୟରେ କଂଗ୍ରେସ ନେତୃତ୍ଵାଧୀନ ସରକାରଙ୍କ ଦ୍ଵାରା ଡ଼ିଆଇଆର (Defence
of India Rule) ଆଇନ ବଳରେ ଗିରଫ କରାଯାଇଥିଲା । ଚୀନ ସହିତ ଯୁଦ୍ଧ ହୋଇଥିବା
ହେତୁ ସିପିଆଇଏମକୁ ସେ ସମୟରେ ଦେଶଦ୍ରୋହୀ ସଂଗଠନ ଭାବରେ ଦେଖାଯାଉଥିଲା । ଆମେ ଏହା ବିପକ୍ଷରେ
ସୁପ୍ରିମ କୋର୍ଟ ଯିବା ହେତୁ ଆମକୁ ଜଜ କହିଲେ ଯେ ଏହି ଆଇନ ବଳରେ କେନ୍ଦ୍ର ସରକାର ବିନା କାରଣରେ
କାହାରିକୁ ବି ଗିରଫ କରିପାରିବେ। ମୁଁ
ସିପିଆଇଏମରେ ଯୋଗ ଦେଇଥିଲେ ବି ଗିରଫ ହୋଇନଥିଲି ।
ଏହାପରେ ନକ୍ସଲବାଡିରେ ପୁଲିସର ଗୁଳିକାଣ୍ଡ (25
ମଇ ୧୯୬୭ ) ହେତୁ ମହିଳା ଓ ଶିଶୁଙ୍କ ସମେତ ଏଗାର ଜଣ ଚାଷୀ ମୃତ୍ୟୁବରଣ
କରିଥିଲେ । ସେମାନଙ୍କ ଆକ୍ରମଣରେ ପୂର୍ବରୁ ଜଣେ ପୁଲିସ ଅଫିସର ମଧ୍ୟ ମୃତ୍ୟୁବରଣ କରିଥିଲେ ।
କିନ୍ତୁ ଏହି ହତ୍ୟାକାଣ୍ଡକୁ ନିନ୍ଦା କରି ରାଜ୍ୟ ସିପିଆଇଏମ କୌଣସି ବିବୃତ୍ତି ଦେଲା ନାହିଁ
କାରଣ ସିପିଆଇଏମ ପଶ୍ଚିମବଙ୍ଗରେ ସେ ସମୟରେ କ୍ଷମତାରେ ଥିଲା । ମୁଁ କିନ୍ତୁ ହତ୍ୟାକାଣ୍ଡକୁ
ବିରୋଧ କରି ପ୍ରେସ ବିବୃତ୍ତି ଦେବା ହେତୁ ମୋତେ ସିପିଆଇଏମ ପାର୍ଟିରୁ ବହିଷ୍କାର କରିଦିଆଗଲା । ଏହା ପରେ ୧୯୬୯ ମସିହାରେ ସିପିଆଇ(ଏମ-ଏଲ) ଗଠନ ହେଲା । ଏହାର ଯେଉଁ
ଚଉଦ ଜଣିଆ ନୀତି ନିର୍ଦ୍ଧାରଣ କମିଟି ଗଠିତ ହୋଇଥିଲା ସେ ଭିତରେ ମୁଁ ଜଣେ ଥିଲି ।
୩.
ସରକାରଙ୍କ ଆଭିମୁଖ୍ଯ ଏହି ସଂଗଠନ ପ୍ରତି କେଉଁଭଳି ଥିଲା ?
ରବି ଦାସ: ସରକାର
ଗିରଫ ଓ ହତ୍ୟାର ରାସ୍ତା ଆପଣାଇବା ହେତୁ ଆମେ ଭୂମିଗତ ହୋଇଯାଇଥାଉ । ଏ ଦେଶର ପ୍ରଥମ ଏନକାଉଣ୍ଟର
ଜଳନ୍ଧର କୋଟାରେ ହେଲା । ପି କୃଷ୍ଣମୁର୍ତ୍ତି ଓ ଅନ୍ୟ ସାତ ଜଣ କର୍ମୀ ଆନ୍ଧ୍ର ପ୍ରଦେଶର ପଲାସା
ଷ୍ଟେସନରେ ଓହ୍ଲାଇ ଗଡପାଡୁ ଗାଁ ଯାଉଥିଲା ବେଳେ
ରାସ୍ତାରୁ ସେମାନଙ୍କୁ ଉଠାଇ ନେଇ ଜଳନ୍ଧରକୋଟା ପାହାଡ ତଳେ ୧୯୬୯ ମସିହା ମଇ ୨୫ ତାରିଖରେ ଗୁଳି କରି
ହତ୍ୟା କରାଯାଇଥିଲା । ସେମାନଙ୍କ
ଭିତରେ ଜଣେ ୧୨-୧୩ ବର୍ଷର ଏକ ବାଳକ ମଧ୍ୟ ଥିଲା । ପୁଲିସ କହିଲା ଯେ ଗୁଳି ବିନିମୟରେ ସେମାନେ ମୃତ୍ୟୁବରଣ କଲେ । ଏବେ
ତୁମେ ଯେଉଁ ‘ଏନକାଉଣ୍ଟର’ ଶବ୍ଦ
ଶୁଣୁଛ ତାହା ଆଜି କାଲି କା ନୁହେଁ । ସେହି ଶବ୍ଦ ସେହି ଜଳନ୍ଧର କୋଟା ପାହାଡ ତଳ ହତ୍ୟାରୁ
ସୃଷ୍ଟି ହେଲା । ଏହା ପରେ ମାଳତି ଚୌଧୁରୀ ମୋତେ ସମ୍ପର୍କ କଲେ । ମୁଁ କହିଲି ଯେ ସେମାନଙ୍କ
ହାତରେ ଠେଙ୍ଗା ଖଣ୍ଡେ ବି ନଥିଲା । ଏହା ପରେ ନବକୃଷ୍ଣ ଚୌଧୁରୀ ଓ ମାଲତୀ ଦେବୀ ସରକାରଙ୍କ ବର୍ବରତା
ବିରୁଦ୍ଧରେ ଚାରିଆଡେ ପ୍ରଚାର କରିବା ସହିତ ରାଜ୍ୟର କିଛି ମନ୍ତ୍ରୀଙ୍କୁ ମଧ୍ୟ ପଚାରିଥିଲେ । କେହି କିନ୍ତୁ ତାଙ୍କ କଥାକୁ
କର୍ଣ୍ଣପାତ କରିନଥିଲେ । ପୁଣି ସେହି ବର୍ଷ ଡିସେମ୍ବର ୨୨ ତାରିଖରେ ରଙ୍ଗମାଟିଆ ଏନକାଉଣ୍ଟରରେ
ରମେଶ ସାହୁ, ସୁବ୍ବାରାଓ ପାଣିଗ୍ରାହୀ, ନିର୍ମଳା କୃଷ୍ଣମୁର୍ତ୍ତି ଇତ୍ଯାଦିଙ୍କୁ ଏନକାଉଣ୍ଟର କରିଦିଆଗଲା । ଏହି ସବୁ
ଏନକାଉଣ୍ଟରରେ ଉତକ୍ଷିପ୍ତ ହୋଇ ଚାରୁ ମଜୁମଦାର ଆହ୍ଵାନ ଦେଲେ, ‘ଶ୍ରେଣୀ ଶତ୍ରୁଙ୍କୁ ନିପାତ କର’। ସେ କହିଲେ, ‘ଯାହାର ହାତ ଶ୍ରେଣୀ ଶତ୍ରୁର ରକ୍ତରେ ଲାଲ ନୁହେଁ ସେ କମ୍ୟୁନିଷ୍ଟ ନୁହେଁ।‘ ଏହାକୁ କ’ଣ ଆମେ କହିବା ରାଜନୀତି?
ହିଂସାତ୍ମକ ବିପ୍ଲବ ଲାଗି କୌଣସି ପ୍ରସ୍ତୁତି ନଥିଲା । ମୁଁ ଏହାକୁ ବିରୋଧ କରିଥିଲି ।
୪
. ମାର୍କ୍ସବାଦ ପ୍ରତି ବିମୁଖତା ଆପଣଙ୍କର କାହିଁକି ଆସିଲା?
ରବି ଦାସ: ମୋର
ବିମୁଖତା ଆସିନାହିଁ । ସର୍ବୋଦୟ କଣ ମାର୍କ୍ସବାଦର ବିରୋଧୀ । ନା । ସର୍ବୋଦୟ ମଧ୍ୟ
ମାର୍କ୍ସବାଦକୁ ଗ୍ରହଣ କରିଛି । ହିଂସା ଓ ଅହିଂସାର କେବଳ ଏକ ପାର୍ଥକ୍ୟ ରହିଛି । ହେଲେ ସବୁକାମ
ଅହିଂସା ରାସ୍ତାରେ ହୋଇପାରିବ ନାହିଁ । ମୁଁ ୨୦ ବର୍ଷ ହେଲା ଦେଖୁଛି । ଗୋଟେ ବିପ୍ଲବ କରିବାକୁ ହେଲେ
ତିନୋଟି କଥାକୁ ଗୁରୁତ୍ଵ ଦେବା ଜରୁରୀ । ବିପ୍ଲବର
ଗୋଟେ ମତାଦର୍ଶର ବ୍ୟବସ୍ଥା ରହିବ । ଦ୍ବିତୀୟରେ, ତାହାର ଏକ
ଉତ୍ପାଦନ ପ୍ରଣାଳୀ ରହିବ । ବିପ୍ଳବକୁ ସଫଳ କରିବାକୁ ହେଲେ
ଉତ୍ପାଦନ ସଂଗ୍ରାମ ଜରୁରୀ । ତୃତୀୟରେ, ଉତ୍ପାଦନ ସଂଗ୍ରାମକୁ ସୂଚାରୁ
ରୂପେ ପରିଚାଳନା କରିବା ଲାଗି ଏକ ସାମରିକ ତତ୍ପରତା ମଧ୍ୟ ଆବଶ୍ୟକ । ଯଦି ତାହା ନକରିବ ତେବେ
କିଛି ହୋଇପାରିବ ନାହିଁ ।
୫
: ସିପିଆଇ (ଏମ-ଏଲ) ରାଜନୀତି ସହିତ ତେବେ କେତେ ପର୍ଯ୍ୟନ୍ତ ଆପଣ ରହିଥିଲେ ?
ରବି ଦାସ: ମୁଁ ଏବେ
ବି ତ ଅଛି । ମୋର ବିରୋଧ ହେଲା ଯେ ଚାରୁ ମଜୁମଦାର ଭୁଲ ରାସ୍ତା ଦେଖାଇଲେ । ଶ୍ରେଣୀ ଶତ୍ରୁକୁ
ହତ୍ୟା କରିଦେଲେ ଲୋକେ ଆମ ସହିତ ଯେଉଁ ଆସିଯିବେ ସେ ଭାବିଥିଲେ ତାହା ଭୁଲ ଥିଲା । ରକ୍ତପାତ ଶେଷ
ପର୍ଯ୍ୟାୟର କଥା । ପ୍ରଥମେ ଉତ୍ପାଦନ ସଂଗ୍ରାମରେ ଥିବା ପ୍ରତିବନ୍ଧକକୁ ଭାଙ୍ଗିବାକୁ ପଡିବ । ତେବେ
ନକ୍ସଲବାଦୀ ଆଂଦୋଳନର ଏକ ବିଶେଷତ୍ଵ ହେଲା ଯେ ଆଜି ଯଦି ସରକାର କିଛି ବି ଆଦିବାସୀଙ୍କ ଉନ୍ନତି
ଲାଗି ପ୍ରକଳ୍ପ ବା ଯୋଜନା ଆଣୁଛି ତାହା କେବଳ ସେହି ଆନ୍ଦୋଳନ ହେତୁ । ନକ୍ସଲବାଦୀ ଆନ୍ଦୋଳନ
ହୋଇନଥିଲେ ଏମାନେ କ’ଣ ଆଦିବାସୀଙ୍କୁ ମଣିଷ ଭଳି
ଗଣିଥା’ନ୍ତେ?
୬. ଆପଣଙ୍କ ଗିରଫ
ଘଟଣା କ’ଣ ଥିଲା ଓ କେଉଁଭଳି ପୁଣି ମୁକ୍ତି ପାଇଲେ?
ରବି ଦାସ: ମୋତେ ‘ସରକାରଙ୍କୁ ଗାଦିଚ୍ଯୁତ କରିବା ଲାଗି ଷଡଯନ୍ତ୍ର କରିବା’
ଅଭିଯୋଗରେ ଗିରଫ କରାଯାଇଥିଲା । ଏହାକୁ
‘ଚିତ୍ରକୋଣ୍ଡା ଷଡଯନ୍ତ୍ର’ କୁହାଗଲା। ଏଥିରେ କୌଣସି ହତ୍ୟା, ଦଙ୍ଗା, କିଛି ବି ହୋଇନଥିଲା । ହଁ, ଡ୍ୟାମର ଶ୍ରମିକଙ୍କୁ ନେଇ ସରକାରଙ୍କ ବିରୋଧରେ ମିଟିଂ ହୋଇଥିଲା । ତାହାକୁ ଷଡଯନ୍ତ୍ର
ଆଖ୍ୟା ଦେଇ ଆଜୀବନ ସଜ୍ଜା ଶୁଣାଇଥିଲେ । ୧୯୭୫ ମସିହାରେ ଯେବେ ଜରୁରୀକାଳୀନ ସ୍ଥିତି ଲାଗୁ ହେଲା
ସେତେବେଳେ ମୁଁ ଜେଲରେ ଥିଲି । ଜରୁରୀକାଳୀନ ସ୍ଥିତିରେ ଅନେକ ଲୋକ ଗିରଫ ହୋଇଥିଲେ । ପ୍ରଥମେ ମୋ
ଜେଲକୁ କିଶନ ପଟ୍ଟନାୟକ ଆସିଲେ । ତାପରେ ଅନ୍ୟମାନେ ଆସିଲେ । ୧୯୭୭ ମସିହାର ନିର୍ବାଚନରେ ଜନତା
ଦଳ ସମସ୍ତ ରାଜନୈତିକ କର୍ମୀଙ୍କୁ ମୁକ୍ତି ଦେବାର ପ୍ରତିଶୃତି ଲୋକଙ୍କ ସାମ୍ନାରେ ରଖିଥିଲା ।
ସେମାନେ କ୍ଷମତାକୁ ଆସିବା ପରେ ସମସ୍ତ ରାଜନୈତିକ ବନ୍ଦୀଙ୍କୁ (ଜରୁରୀ ସମୟରେ ଗିରଫ ସମସ୍ତ
ବ୍ୟକ୍ତି) ଖଲାସ ହେଲେ । କିନ୍ତୁ ମୋତେ ସଜ୍ଜା ହୋଇଯାଇଥିବା ହେତୁ ଭିତରେ ରହିଥିଲି । ମୋ ବିଷୟ
ଅଲଗା ଭାବରେ ପାର୍ଲାମେଣ୍ଟରେ ଆଲୋଚନା ହେଲା । ମୋରାରଜୀ ଦେଶାଈ ଯୁକ୍ତି ରଖିଲେ ଯେ ଭୁସଂସ୍କାରର
କଥା କହୁଥିବା ହେତୁ ନକ୍ସଲବାଦୀମାନେ ପ୍ରକୃତ ରାଜନୈତିକ ବନ୍ଦୀ। ଏହାପରେ ମୋତେ ଜେଲରୁ ଖଲାସ
କରିଦେଲେ ।
୭.
ଜେଲରୁ ଫେରିଲା ପରେ ନକ୍ସଲବାଦୀ ଆନ୍ଦୋଳନ ସହିତ ଆଉ କିଛି ସମ୍ପର୍କ ରଖିନଥିଲେ?
ରବି ଦାସ: ଆମର
ଆନ୍ଦୋଳନର ଅସୁବିଧା କ’ଣ ହେଲା କି ଏହା ବହୁ ଉପଦଳରେ
ବିଭକ୍ତ ହୋଇପଡିଥିଲା । ମୁଁ ଆସିବା ପରେ ଏ ସବୁକୁ ଐକ୍ୟବଦ୍ଧ କରିବା ଲାଗି ଏକ ଚେଷ୍ଟା କରିଥିଲି
। ସେତେବେଳେ ଏକ ପତ୍ରିକା ‘ବିପ୍ଲବ ସନ୍ଦେଶ’
ମଧ୍ୟ ପ୍ରକାଶ କରୁଥିଲି । ଏହାର ୧୦/୧୨ଟି ସଂଖ୍ୟା ପ୍ରକାଶିତ ହୋଇଛି । କିନ୍ତୁ ଏଥିରେ ସଫଳ ହୋଇପାରିନଥିଲି । ପ୍ରକୃତରେ, ବିଭେଦ ଗ୍ରସ୍ତ ହେବା ଏକ ବୁର୍ଜୁଆ ପ୍ରବଣତା ଓ ଐକ୍ଯବଦ୍ଧ ହେବା ଏକ ବିପ୍ଳବୀ ମାନସିକତା
। ତମେ
ଯଦି ବିପ୍ଲବ କରିବାକୁ ଚାହୁଁଛ ତେବେ ତୁମକୁ ଅନେକଙ୍କ ସହିତ ଐକ୍ୟବଦ୍ଧ ହେବାକୁ ହେବ । ସିପିଆଇ(ଏମ-ଏଲ)
କର୍ମୀମାନେ କିନ୍ତୁ ସେ ସମୟରେ ନିଜ ନିଜ ପାର୍ଟିର ନେତୃତ୍ଵ ଦ୍ଵାରା ପରିଚାଳିତ। ସେମାନେ ଐକ୍ୟବଦ୍ଧ
ପ୍ରକ୍ରିୟାକୁ ଅଣଦେଖା କରୂଥିଲେ ।
୭.
ଆପଣ ସର୍ବୋଦୟ ବିଚାରକୁ କେମିତି ଆସିଲେ ?
ରବି ଦାସ: ସର୍ବୋଦୟ
ବିଚାରର ରାଜନୀତି ଦ୍ଵାରା ପ୍ରଭାବିତ ହୋଇ ମୁଁ ସେଠାକୁ ଯାଇନାହିଁ। ମୁଁ ଜେଲରେ ଥିଲା ବେଳେ
କୌଣସି ଆଦିବାସୀ ଅଞ୍ଚଳରେ ପୁଲିସର କିଛି ଦୌରାତ୍ମ୍ୟ କଥା ଜାଣିଲେ ତୁରନ୍ତ ଜେଲ ଭିତରୁ ମାଲତୀ
ଚୌଧୁରୀଙ୍କୁ ଚିଠି ଲେଖୁଥିଲି । ସେ ବି ତୁରନ୍ତ ସେହି ଅଞ୍ଚଳକୁ ଯାଉଥିଲେ ଓ ରିପୋର୍ଟ ପ୍ରକାଶ
କରୁଥିଲେ । ଏମିତି କୌଣସି ଦୁର୍ଗମ ଅଞ୍ଚଳ ସମ୍ପର୍କରେ ମୁଁ ଲେଖିଛି ଓ ସେ ଯାଇନାହାନ୍ତି, ତାହା କେବେ ହୋଇନାହିଁ । ଜରୁରୀକାଳିନ ପରିସ୍ଥିତି ସମୟରେ ଯେଉଁ ଯେଉଁ ଗାନ୍ଧୀବାଦୀ
ନେତାଙ୍କୁ ସେ ସମୟରେ କଂଗ୍ରେସର ନନ୍ଦିନୀ ଶତପଥୀ ସରକାର ଗିରଫ କରିଥିଲେ ସେମାନେ ସମସ୍ତେ ବିଭିନ୍ନ
ସମୟରେ ମୋତେ ଦେଖାକରିବାକୁ ଆସିଥିଲେ । ସେଥିମଧ୍ୟରେ ନବକୃଷ୍ଣ ଚୌଧୁରୀ, ମାଲତୀ ଚୌଧୁରୀ ଇତ୍ୟାଦି ଥିଲେ । ୧୯୮୨ ମସିହାର ବନ୍ୟାରେ ସର୍ବୋଦୟ
ରିଲିଫ କମିଟି ମୁଖ୍ୟ କ୍ଷେତ୍ରବାସୀ ପତି ଓ ଅନ୍ୟ ସାଥି ଜୀବନକୁ ବାଜି ଲଗେଇ ଅନେକ କାମ କରିଥିଲେ
। ଏହି ସବୁ କାରଣ ହେତୁ ମୁଁ ସର୍ବୋଦୟ ଆଡକୁ ଢଳିଲି। ଏହା ପରେ କଳାହାଣ୍ଡିରେ ମରୁଡି ଓ ଅନାହାର
ମୃତ୍ୟୁ ହେବା ଶୁଣି ମୁଁ ସେଠାକୁ ଯାଇଥିଲି ।
(ଏହି ସାକ୍ଷାତକର
୨୦୧୯ ମସିହାରେ ତାଙ୍କର ଗାଁ ତାରାପୁର ଠାରେ ନିଆଯାଇଥିଲା । ଗଲା ୧୨ ମେ’ ୨୦୨୧ରେ ତାଙ୍କର ଦେହାନ୍ତ ହୋଇଯାଇଛି । ‘ଗାସ’ ତରଫରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ତାଙ୍କର ଏହି ସାକ୍ଷାତକାରକୁ ଏଠାରେ
ପ୍ରକାଶ କରୁଛୁ। - ସମ୍ପାଦକ)
Comments
Post a Comment