‘ହାଜତ ମୃତ୍ୟୁ’ କେବଳ ଏକ ହତ୍ୟା ନୁହେଁ
ଅପଡେଟ – ୨୧
ଏକ ଗଣତାନ୍ତ୍ରିକ ଶାସନରେ ହାଜତ ହତ୍ୟା
ନିୟମିତ ଭାବରେ ଘଟିଚାଲିବା ଆମର ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି । ହାଜତ ହିଂସା
ସଭ୍ୟ ସମାଜରେ କଦାପି ଗ୍ରହଣ ଯୋଗ୍ୟ ନୁହେଁ । ଅଥଚ ଏନେଇ ଆମର ଶିକ୍ଷିତ ଓ ସଭ୍ଯ ସମାଜ ଆଦୌ ଚିନ୍ତିତ ନୁହଁନ୍ତି । ରାଜ୍ୟରେ
ହାଜତ ମୃତ୍ୟୁର ଅଭିଯୋଗ ବଢୁଥିଲା ବେଳେ ନିର୍ବାଚିତ ପ୍ରତିନିଧିମାନେ ଉଦାସୀନ ରହୁଛନ୍ତି । ଏପରି
ଅବସ୍ଥା କାହିଁକି?
୧. ତଥ୍ୟ ଅନୁସନ୍ଧାନ: ବରଗଡ ସହରରେ ବିଭିନ୍ନ ଦଳିତ ଓ ଗଣତାନ୍ତ୍ରିକ ଜନ ସଂଗଠନ ଦ୍ଵାରା ଗୋବିନ୍ଦ କୁମ୍ଭାରଙ୍କ ହାଜତ ମୃତ୍ୟୁ ପ୍ରତିବାଦରେ ଗଣଧାରଣା ଗଲା ୨୨ ସେପ୍ଟେମ୍ବର ୨୦୨୧ ପରଠାରୁ ନିୟମିତ ବ୍ଯବଧାନରେ ହୋଇଚାଲିଛି । ଗୋବିନ୍ଦ କୁମ୍ଭାର ନିଜେ ଦଳିତ ପରିବାରର ଥିଲେ । ପୁଲିସ ଦ୍ଵାରା ଏଭଳି ହତ୍ୟାକୁ ଅସ୍ଵୀକାର କରାଯିବା ହେତୁ ଜିଲ୍ଲାର ସଂଗଠନମାନେ ଏହାକୁ ଗ୍ରହଣ କରିପାରୁନାହାନ୍ତି । ଦୁଃଖର କଥା, ଗୃହ ରାଷ୍ଟ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଜିଲ୍ଲାର କୌଣସି ବିଧାୟକ, ରାଜନୈତିକ ଦଳମଧ୍ୟରେ ଥିବା ଦଳିତ ନେତୃବର୍ଗ ଗୋବିନ୍ଦଙ୍କ ହତ୍ୟାର ଉପଯୁକ୍ତ ତଦନ୍ତକୁ ତ୍ୱରାନ୍ୱିତ କରୁନାହାନ୍ତି। ନିକଟରେ, କେତେକ ମାନବିକ ଅଧିକାର କର୍ମୀ ତଥ୍ୟ ଅନୁସନ୍ଧାନରେ ବରଗଡ ଯାଇ ମୃତ ଗୋବିନ୍ଦଙ୍କ ପରିବାର, ପୁଲିସ ଅଧିକାରୀ ଓ ଅନ୍ୟ ପ୍ରତିନିଧିମାନଙ୍କୁ ଭେଟିଛନ୍ତି । ସେମାନେ ରାଜ୍ୟ ସରକାରଙ୍କ ନିକଟରେ ଗୋବିନ୍ଦ କୁମ୍ଭାର ମୃତ୍ୟୁକୁ ନେଇ ହତ୍ୟା ମାମଲା ରୁଜୁ କରିବା ଓ ଦାୟୀ ପୁଲିସଙ୍କୁ ଗିରଫ ଲାଗି ଦାବି କରିଛନ୍ତି । ଅତୀତରେ, ଅନେକ ହାଜତ ମୃତ୍ୟୁ ଅଭିଯୋଗରେ ହୋଇଥିବା ତଥ୍ୟ ଅନୁସନ୍ଧାନରେ ପରିପାର୍ଶ୍ଵିକ ସ୍ଥିତିକୁ ଦେଖି ତାହା ପୁଲିସ ଦ୍ଵାରା ହତ୍ୟା ଅଭିଯୋଗ ବିଭିନ୍ନ ସଂଗଠନ ଦ୍ଵାରା ଅଣାଯାଇଥିଲା ।
୨. କ୍ଷତିପୂରଣ
ଘୋଷଣା: ସୁନ୍ଦରଗଡ ଜିଲ୍ଲା ବିରମିତ୍ରପୁରରେ ମୁସଲମାନ
ଯୁବକ ତାରିକ ସଲିମଙ୍କୁ ନଭେମ୍ବର ୧୯, ୨୦୨୦ରେ ପିଟି ପିଟି ଜିଲ୍ଲା ପୁଲିସ ମାରିଦେଇଥିଲା । ଏହାର ଠିକ ପରେ ପରେ ପୁରୀ ସହରରେ
କେ. ରମେଶ ନାମକ ଦଳିତ ଯୁବକଙ୍କର ଡିସେମ୍ବର ୦୫, ୨୦୨୦ ତାରିଖରେ ହତ୍ୟା
କରାଯାଇଥିଲା । ଏହା ପୂର୍ବରୁ ସମ୍ବଲପୁର ସହର ଅଇଣ୍ଠାପାଲି ଅଞ୍ଚଳରେ ଆଦିବାସୀ ଯୁବକ ଅନିନାଶ
ମୁଣ୍ଡାଙ୍କୁ ଫେବୃଆରୀ ୦୮, ୨୦୧୮ ତାରିଖରେ ପୁଲିସ ଦ୍ଵାରା ହତ୍ୟା
ପ୍ରତିବାଦରେ ଲୋକେ ଉତ୍ୟକ୍ତ ହୋଇଉଠିଥିଲେ। ଉଭୟ ପୁରୀ ଓ ସମ୍ବଲପୁର ଘଟଣାରେ ଅଙ୍ଗୁଳି ଜିଲ୍ଲା
ଏସପିଙ୍କ ବିପକ୍ଷରେ ଉଠିଥିଲା । ଅଥଚ ପୁରୀ ଓ ସମ୍ବଲପୁର ଘଟଣାରେ ଯଥାକ୍ରମେ ଓଡିଶା ହାଇକୋର୍ଟ
ଓ ରାଜ୍ୟ ମାନବିକ ଅଧିକାର କମିଶନ ଉଭୟ ଯଥାକ୍ରମେ
ପାଞ୍ଚ ଲକ୍ଷ ଓ ତିନି ଲକ୍ଷ ଟଙ୍କା କ୍ଷତିପୂରଣ ରାଶି କେବଳ ଘୋଷଣା କରିଛନ୍ତି । ଢେଙ୍କାନାଳ
ହାଜତ ମୃତ୍ୟୁ (ମନୋଜ ମହାପାତ୍ର) ଲାଗି ଦୀର୍ଘ ୧୫ ବର୍ଷ ପରେ ଓଡିଶା ହାଇକୋର୍ଟ ୫ ଲକ୍ଷ ଟଙ୍କା
କ୍ଷତିପୂରଣ ଘୋଷଣା କରିଛନ୍ତି । ଏହି ସମସ୍ତ ରାୟରେ ସମ୍ବିଧାନର ଧାରା ୨୧ (ବଞ୍ଚିବାର ଅଧିକାର)
ସମ୍ପର୍କରେ ଉଲ୍ଲେଖ କରାଯାଇଛି । କିନ୍ତୁ ସମସ୍ତ ରାୟରେ ସେହି ସମାନ କଥା ରହିଛି, “ଗିରଫ ହୋଇଥିବା ବ୍ଯକ୍ତିର ସୁରକ୍ଷାର ଦାୟିତ୍ଵ ପୁଲିସର। କିନ୍ତୁ ବ୍ଯକ୍ତିର ମୃତ୍ୟୁ
ଲାଗି ଯେ ସ୍ଥାନୀୟ ପୁଲିସ ଦାୟୀ ତାହା ପ୍ରମାଣିତ ହେଉନାହିଁ।“
୩. କାର୍ଯ୍ୟାନୁଷ୍ଠାନର
ମାତ୍ରା ଶୂନ : ବିଧାନସଭାରେ ରାଜ୍ୟ ସରକାର ଦେଇଥିବା ତଥ୍ୟ ଅନୁସାରେ ଗଲା ୧୦ ବର୍ଷ ମଧ୍ୟରେ
(୨୦୧୦ – ୨୦୧୯) ୪୩ ଜଣଙ୍କର ପୁଲିସ ହେଫାଜତରେ ମୃତ୍ୟୁ ହୋଇଥିଲା। ମାଲକାନଗିରି
ସହରରୁ ଆଦିବାସୀ ଯୁବକ ତ୍ରିନାଥ ସମରଥକୁ ଘଣ୍ଟା ଚୋରୀ ଅଭିଯୋଗରେ ଏପ୍ରିଲ ୨୦୧୩ ମସିହାରେ ଘରୁ
ପୁଲିସ ଉଠାଇନେଇଥିଲା ଯେ ସେ ଆଜି ପର୍ଯ୍ୟନ୍ତ ଘରକୁ ଫେରିନାହାନ୍ତି । ଏଭଳି ନିଖୋଜ ଘଟଣା
କିନ୍ତୁ ସରକାରଙ୍କ ହିସାବରେ ନଥାଏ । ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ହାଜତ ମୃତ୍ୟୁ (ବସନ୍ତ
ପ୍ରଧାନ/ ଜୁଲାଇ ୨୮, ୨୦୧୪ ) ଘଟଣାରେ ଜଣେ ପୁଲିସ ଅଧିକାରୀଙ୍କୁ ଗିରଫ କରାଯିବା ବ୍ଯତୀତ ଅନ୍ୟ କୌଣସି
ଘଟଣାରେ ଦୋଷୀ ଅଧିକାରୀଙ୍କ ବିପକ୍ଷରେ କୌଣସି ପଦକ୍ଷେପ ନିଆଯାଇ ନାହିଁ । ଅଭିଯୋଗ ହେଲେ ଦାୟିତ୍ଵରେ
ଥିବା ପୁଲିସ କର୍ମଚାରୀଙ୍କୁ କେବଳ ବଦଳି ଓ ନିଲମ୍ବନ କରିଦିଆଯାଇଥାଏ ଓ ସେ ପରେ ପୁଣି
କାର୍ଯ୍ୟରେ ଯୋଗ ଦେଇଥାନ୍ତି । କୌଣସି ଶିକ୍ଷକଙ୍କ ଦ୍ଵାରା ଛାତ୍ର/ଛାତ୍ରୀର ମୃତ୍ୟୁ ହେଲେ ଅଥବା
ବ୍ଲକ ଅଧିକାରୀଙ୍କ ଅବହେଳା ହେତୁ ହିତାଧିକାରୀର ମୃତ୍ୟୁ ହେଲେ ଯେତେ ଶୀଘ୍ର ଶିକ୍ଷକ ବା
ଅଧିକାରୀଙ୍କ ବିପକ୍ଷରେ ହତ୍ୟା ମକଦ୍ଦମା ହୁଏ ପୁଲିସ କ୍ଷେତ୍ରରେ ତାହା ହୋଇନଥାଏ । ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ବିଧାୟକମାନେ ପୁଲିସର ବିନା ସହଯୋଗରେ ନିଜକୁ ସଂପୂର୍ଣ୍ଣ
ଅସୁରକ୍ଷିତ ମନେକରୁଥିବା ହେତୁ ପୁଲିସ ଅଧିକାରୀଙ୍କ ବିପକ୍ଷରେ କୌଣସି କାର୍ଯ୍ୟନୁଷ୍ଠାନ ଲାଗି ନିଜେ
ସରକାର ପଛାଇଥାନ୍ତି ।
୪.
ଅତି ସାମାନ୍ଯ ଅପରାଧର ଦଣ୍ଡ ମୃତ୍ୟୁ: ‘ଗାସ’, ପିଇଉସିଏଲ ଓ ଅନ୍ୟ ଗଣତାନ୍ତ୍ରିକ ସଂଗଠନ ଦ୍ଵାରା ହାଜତ
ମୃତ୍ୟୁ ଘଟଣାର ହୋଇଥିବା ତଥ୍ୟ ଅନୁସନ୍ଧାନରୁ ଜଣାଯାଏ ଯେ ମୃତ ବ୍ୟକ୍ତିଙ୍କ ମଧ୍ୟରୁ ଅଧିକାଂଶ
ସମାଜର ଗରିବ, ଆଦିବାସୀ, ଦଳିତ ଅଥବା ମୁସଲମାନ
ଗୋଷ୍ଠୀର । ତାହାଙ୍କୁ ଚୋରୀ ଭଳି ଛୋଟ ଅପରାଧରେ ଘରୁ ପୁଲିସ ଉଠାଇ ଆଣିଥାଏ। ପୁଲିସ ଦ୍ଵାରା ‘ତଥ୍ୟ ଅଦାୟ’, ‘ପ୍ରତିଶୋଧ’ ବା ‘ଶିକ୍ଷା ଦେବା’ ଉଦ୍ଦେଶ୍ୟରେ ଅନେକ
ଲୋକଙ୍କୁ ହାଜତରେ ରଖି ଯାତନା ଦେବା ଭିତରେ କେତେକଙ୍କର ମୃତ୍ୟୁ ଘଟିଥାଏ । ଏଭଳି ଅପରାଧକୁ
ରୋକିବା କ୍ଷେତ୍ରରେ ଯଦିଓ ଡ଼ିକେ ବସୁ ନିର୍ଦ୍ଦେଶାବଳୀ, ସିଆରପିସିର
ଧାରା ୪୧ (ଏ), ସୁପ୍ରିମ କୋର୍ଟ ତଥା ଜାତୀୟ ମାନବିକ ଅଧିକାର
କମିଶନଙ୍କ ବିଭିନ୍ନ ନିର୍ଦ୍ଦେଶାବଳୀ ରହିଛି କିନ୍ତୁ ତାହାକୁ ମୃତ ବ୍ୟକ୍ତିଙ୍କୁ ତାଙ୍କ ଘରୁ
ଉଠାଇ ଆଣିବା ସମୟରେ ଆଦୌ ପାଳନ ହୋଇନଥାଏ । ଏ ସମ୍ପର୍କରେ ସୁପ୍ରିମ କୋର୍ଟ ଯଦିଓ ମନ୍ତବ୍ୟ
ଦିଅନ୍ତି ଯେ ହାଜତ ହିଂସା ସଭ୍ୟ ସମାଜର ସାଂଘାତିକ ଅପରାଧ ମାତ୍ର ଏହାକୁ ରୋକିବା ଦିଗରେ ଶାସକ
ଦଳ, ପ୍ରଶାସନ ଏପରିକି ତଳ କୋର୍ଟରେ ତତ୍ପରତା ଦେଖାଯାଉନାହିଁ ।
୫. କଳା ଆଇନକୁ
କାର୍ଯ୍ୟକାରୀ କରିବା କ୍ଷମତା: ବିଧାନସଭା କି ଲୋକସଭାରେ ନିର୍ବାଚିତ ଶାସକ ଦଳ କଳା ଆଇନ
ତିଆରି କରିଦେବା ପରେ ତାହାକୁ କାର୍ଯ୍ୟକାରୀ କରିବାର କ୍ଷମତା ପୁଲିସ ଉପରେ ରହୁଛି । ଆମ ସମାଜରେ
ଧାରା ୧୨୪ ଏ, ଜାତୀୟ ସୁରକ୍ଷା ଆଇନ, ଇଉଏପିଏ (ଦେଶଦ୍ରୋହ) ଭଳି କଳା ଆଇନକୁ ଭିନ୍ନମତ ରଖୁଥିବା ଓ ବିଭିନ୍ନ ଜନ ଆନ୍ଦୋଳନରେ
ସମ୍ପୃକ୍ତ ବ୍ୟକ୍ତି ଓ ସଂଗଠନ ବିପକ୍ଷରେ ବ୍ୟବହାର ହେଉଛି । ରାଜ୍ୟ ସରକାରଙ୍କ ଦ୍ଵାରା କୌଣସି
ବିକାଶ ପ୍ରକଳ୍ପ ଲାଗି ଜମି ଅଧିଗ୍ରହଣ, କରୋନ ଲକଡାଉନ ନିର୍ଦ୍ଦେଶ
କାର୍ଯ୍ୟକାରୀ କରିବା, ପରିବେଶ ଓ ଜଙ୍ଗଲର ସୁରକ୍ଷା ପ୍ରସଙ୍ଗ, ନିଯୁକ୍ତି ମେଳା, ଭତ୍ତା ବଣ୍ଟନ,
ମନ୍ତ୍ରୀଙ୍କ ଦଳୀୟ କାର୍ଯ୍ୟକ୍ରମ ଇତ୍ୟାଦି ଠାରେ ପୁଲିସର ଉପସ୍ଥିତିକୁ ସରକାର ଗୁରୁତ୍ଵ
ଦେଇଆସୁଛନ୍ତି । ଏ ସବୁକୁ କୌଣସି ଠାରେ ବିରୋଧ କରାଯିବାକୁ ସରକାର ଆଇନ ଶୃଙ୍ଖଳା ପରିସ୍ଥିତି
ବାହାନାରେ ମଧ୍ୟ ପୁଲିସ ଦ୍ଵାରା ଦମନ କରୁଥିବା ହେତୁ ସରକାରୀ ମନ୍ତ୍ରୀ, ସଚୀବ ଓ ମୁଖ୍ୟମନ୍ତ୍ରୀଙ୍କ ଲାଗି ପୁଲିସ ଏକ ଗୁରୁତ୍ଵପୂର୍ଣ୍ଣ ସହଯୋଗୀ ହୋଇଯାଇଛି ।
ଏଥିରେ ଉପକୃତ ହେଉଛନ୍ତି ବିଭିନ୍ନ କମ୍ପାନୀ ଓ ଧନୀକ ଶ୍ରେଣୀ । ଫଳରେ,
ନବ୍ୟ ଉଦରବାଦୀ ସମୟରେ ପୁଲିସର ବ୍ୟବହାରରେ ପରିବର୍ତ୍ତନ ଦିନକୁ ଦିନ ଅସମ୍ଭବ ହୋଇଯାଉଛି । ଯଦିଓ
ଅନେକ ସମୟରେ ବିଭିନ୍ନ ହାଇକୋର୍ଟ ଓ ସୁପ୍ରିମକୋର୍ଟ ପୁଲିସ ବ୍ୟବସ୍ଥାର ପରିବର୍ତ୍ତନ ଲାଗି ବିଭିନ୍ନ
ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ଦେଉଛନ୍ତି କିନ୍ତୁ ସରକାରଙ୍କ ଆନ୍ତରିକତାର ଅଭାବରୁ ତାହା
ଗୁରୁତ୍ଵ ପାଉନାହିଁ ।
ହାଜତ ମୃତ୍ୟୁ, ଗୁଳିକାଣ୍ଡ, ଏନକାଉଣ୍ଟର ଅଥବା ଥାର୍ଡ ଡିଗ୍ରୀ ଯତନାର
ଶିକାର ଆମ ସମାଜର ଦଳିତ, ଆଦିବାସୀ, ମୁସଲମାନ ଓ ରାଜନୈତିକ କର୍ମୀ ହେଉଛନ୍ତି । ଏମାନଙ୍କୁ
ନେଇ ଆମର ସାଧାରଣ ଶିକ୍ଷିତ ଓ ସଭ୍ଯ ସମାଜ ଆଦୌ ଚିନ୍ତିତ ନୁହେଁ । ବିଭିନ୍ନ ଗଣତାନ୍ତ୍ରିକ ଅଧିକାର
ସଂଗଠନ ଓ କେତେକ କମ୍ୟୁନିଷ୍ଟ ଦଳଙ୍କ ବ୍ଯତୀତ ଅନ୍ୟ ଦଳିତ ଓ ଆଦିବାସୀ ସଂଗଠନ; ମୁଖ୍ୟଧାରର ରାଜନୈତିକ ଦଳ ମଧ୍ୟରେ ଥିବା ଦଳିତ, ଆଦିବାସୀ ନେତା
ଓ ନେତ୍ରୀ ଇତ୍ୟାଦି ନିଜ ବର୍ଗ ଉପରେ ହେଉଥିବା ଅତ୍ୟାଚାର ସମ୍ପର୍କରେ ନିରବ ରହିଆସିଛନ୍ତି । ଏବେ
ବରଗଡ ହାଜତ ମୃତ୍ୟୁ ବିପକ୍ଷରେ ଯେଉଁ ପ୍ରତିବାଦର ଧାରା ଦେଖାଯାଇଛି ତାହା ହୁଏତ ଆଗାମୀ ଦିନରେ ଅନେକଙ୍କର
ସମ୍ପୃକ୍ତି ଆଣିଦେବ । ####
ଏହା
‘ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ, ଓଡିଶା ଦ୍ଵାରା
ପ୍ରସ୍ତୁତ।
ଯୋଗଯୋଗା:
ସଭାପତି, ‘ଗାସ’ ଓଡିଶା ଇମେଲ : gassbhubaneswara@gmail.com
Comments
Post a Comment